ସହାୟତା ପାଇଁ ଫରଓ୍ବାର୍ଡ ବ୍ଲକ ଦେଲା ଦାବିପତ୍ର

ଭଟଲି,୧୫ା୫(ଡି.ଏନ.ଏ.): କରୋନା (କୋଭିଡ-୧୯) ପାଇଁ କଟକଣା ସାମାନ୍ୟ କୋହଳ ହୋଇଥିବାବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଯୋଗୁ ଶ୍ରମିକମାନେ କାମଧନ୍ଦା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ସେମାନେ କାମ ନ କରିବେ ତେବେ ଖାଇବାକୁ ନ ପାଇ ମଧ୍ୟ ହଟହଟାର ସମ୍ମୁଖୀନ ହେବେ। ଲୋକଙ୍କ ପାଇଁ କରୋନା ମହାମାରୀଜନିତ ସମସ୍ୟାର ସମାଧାନ ପାଇଁ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ଭଟଲି ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଭଟଲି ୟୁକୋ ବ୍ୟାଙ୍କ ନିକଟରୁ ଜିଲା ସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଦଳର କର୍ମୀମାନେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କରେ ଭଟଲି ତହସିଲଦାର ପ୍ରଶାନ୍ତ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ସହିତ ପ୍ରତ୍ୟେକ ପରିବାରକୁ ୬ମାସର ମାଗଣା ରାସନ ସାମଗ୍ରୀ ଯୋଗାଇବା, ଆୟକର ପରିସରଭୁକ୍ତ ନ ଥିବା ପ୍ରତ୍ୟେକ ପରିବାରକୁ ମାସିକ ୧୦ହଜାର ଟଙ୍କା ରିଲିଫ୍‌ ପ୍ରଦାନ କରିବା, ପ୍ରବାସୀ ଶ୍ରମିକମାନଙ୍କ ଯାତାୟାତ ପାଇଁ ଦେୟମୁକ୍ତ ବିଶେଷ ରେଳ ଚଳାଚଳର ବ୍ୟବସ୍ଥା, କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଶେଷ ବଜେଟ ବ୍ୟବସ୍ଥା ଆଦି ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ପୂର୍ବା ନାଏକ, ଅବର ପାଣ୍ଡେ, ଭୀଷ୍ମଦେବ ଭୁଏ, ଗଙ୍ଗାଧର ସା ଏବଂ ମନ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।