ସହର ଭିତରେ ପ୍ରବାସୀଙ୍କ ଭିଡ, ବଢୁଛି ସଂକ୍ରମଣ ଭୟ

ବଲାଙ୍ଗୀର ଅଫିସ, ୨୦ା୫: ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାରେ ରାଜ୍ୟ ବାହାର ପ୍ରବାସୀ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି। ପ୍ରତିଦିନ ଶତାଧିକ ପ୍ରବାସୀ ବସ୍‌ ଓ ଅନ୍ୟ ଯାନବାହନରେ ବଲାଙ୍ଗୀର ସହରରେ ପହଞ୍ଚୁଛନ୍ତି। ସେମାନଙ୍କୁ ଆଣୁଥିବା ବସ୍‌ ଓ ଯାନବାହନଗୁଡିକ କୌଣସି ନିର୍ଦ୍ଦିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ନ ଛାଡି ସହରର ବିଭିନ୍ନ ରାସ୍ତାରେ ଛାଡି ପଳାଉଛନ୍ତି। ଏଭଳି କ୍ଷେତ୍ରରେ ପ୍ରବାସୀମାନେ କେଉଁଠିକୁ ଯିବେ ଜାଣି ନ ପାରି ଇତସ୍ତତଃ ବୁଲୁଥିବା ଦେଖାଯାଉଛି । ପ୍ରବାସୀମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓହ୍ଳାଇବା ପରେ କେଉଁଠିକି ଯିବେ ଜାଣି ପାରୁ ନ ଥିବାରୁ ଟାଉନ୍‌ ଥାନା ଓ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ପଚାରୁଛନ୍ତି। ଏବେ ଅବସ୍ଥା ଏପରି ହୋଇଛି ଯେ, ଟାଉନ୍‌ ଥାନା ଓ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ପ୍ରବାସୀଙ୍କ ବସ୍‌ଷ୍ଟାଣ୍ଡ ଭଳି ପ୍ରତୀତ ହେଲେଣି। ପ୍ରଶାସନ ପାଖରେ ବସ୍‌ଗୁଡିକରେ ଆସୁଥିବା ପ୍ରବାସୀଙ୍କ ସମ୍ପୂର୍ଣ୍ଣ ଓ ଠିକ୍‌ ସୂଚନା ନାହିଁ। ଫଳରେ ସେମାନେ ଏମାନଙ୍କୁ ପରିଚାଳନା ଠିକ୍‌ ଭାବେ କରିପାରୁ ନାହାନ୍ତି । ବଲାଙ୍ଗୀର ରେଳଷ୍ଟେଶନ୍‌କୁ ନିୟମିତ ଶ୍ରମିକ ସ୍ପୋଶାଲ ଟ୍ରେନ୍‌ ଆସୁଥିବାରୁ ପ୍ରବାସୀଙ୍କ ପ୍ରତ୍ୟାଗମନ ବ୍ୟବସ୍ଥାରେ ପୂରା ପ୍ରଶାସନ ଘାଣ୍ଟି ହେଉଛି। ପ୍ରଶାସନ ଗୋଟିଏ ସମୟରେ ଟ୍ରେନ୍‌ ଓ ବସ୍‌ ପରିଚାଳନା କରିପାରୁନାହିଁ। ୨୨ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ଥିବାରୁ ଦୁଇଦିନ ହେଲାଣି ଫଳ ମାର୍କେଟରେ ଭିଡ ଜମୁଛି। ଏଠାରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଭଳି ଗୁରୁତ୍ୱପୂର୍ଣ୍ଣ କୋଭିଡ ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପ୍ରବଳ ଭିଡ ଯୋଗୁଁ ଏହାର ସୁଯୋଗ ନେଇ ଅନ୍ୟ ରାଜ୍ୟରୁ ଆସି ବଲାଙ୍ଗୀର ପହଞ୍ଚିଥିବା ପ୍ରବାସୀମାନେ ମଧ୍ୟ ଫଳ ଦୋକାନକୁ ପଶି କିଣାକିଣି କରୁଥିବା ଚର୍ଚ୍ଚା ହୋଇଛି । ଫଳରେ ଏଠାରେ କରୋନା ସଂକ୍ରମଣ ବଢ଼ି ଚାଲିଛି ବୋଲି କେତେକ ଆଶଙ୍କା ପ୍ରକଟ କରିଛନ୍ତ। ସେହିଭଳି ବଲାଙ୍ଗୀର ମାର୍କେଟରେ ପ୍ରତ୍ୟହ ଯେଭଳି ଭିଡ ପରିଲକ୍ଷିତ ହେଉଛି । ଏଠାରେ କୌଣସି ପ୍ରକାର ଲକ୍‌ଡାଉନ୍‌ ନିୟମ ଆଉ ନାହିଁ ଏହା ଯେକେହି ଖୋଲା ଆଖିରେ ଦେଖିପାରିବ। ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପୋଲିସ ମଧ୍ୟ ଏଦିଗରେ ଆଉ ଧ୍ୟାନ ଦେଉନାହାନ୍ତି। କିଛି ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ଛାଡିଦେଲେ ଆଉ କୌଣସି କାମ ଦାୟିତ୍ୱର ସହ ନକରି ହାଲୁକା ହୋଇପଡିଥିବା ଦେଖାଯାଉଛ। ଏଭଳି କ୍ଷେତ୍ରରେ ଅଣସଂକ୍ରମିତ ବଲାଙ୍ଗୀରବାସୀଙ୍କୁ ସବୁଠୁ ବେଶୀ ସଂକ୍ରମଣ ଭୟ ଘାରିଲାଣି ।