ସହରର ସ୍ବଚ୍ଛତା ପ୍ରତି ଗୁରୁତ୍ୱ : ‘ମୋ ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ’ ଆରମ୍ଭ କଲେ ଜିଲାପାଳ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ‘ମୋ ହଞ୍ଜିଳିକାଟୁ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି। ବୁଧବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ବର୍ଜ୍ୟବସ୍ତୁର ସଠିକ୍‌ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜିଲାପାଳ କୁଲାଙ୍ଗେ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଆଇଆଇସି ଅଭିମନ୍ୟୁ ସାହୁ, ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ବିଧାୟକ ହରିହର ସାହୁ, ପବିତ୍ର ମୋହନ ପାଣିଗ୍ରାହୀ, ବଣିକ ସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ତ୍ରିରଙ୍ଗା ଯୁବକ ସଂଘ, ଡିସ୍‌କଭରୀ ହିଞ୍ଜିଳିକାଟୁ, ବିଭିନ୍ନ ମହିଳା ସ୍ବୟଂ ସହାୟିକା ସଂଘ, ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଯୁବଗୋଷ୍ଠୀଙ୍କ ସମେତ ବହୁ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବୁଧବାର ଭୋର୍‌ରୁ ଜିଲାପାଳ ଓ ଅନ୍ୟମାନେ ପୌର କାର୍ଯ୍ୟାଳୟରୁ ରାଲିରେ ବାହାରି ୫ ନଂ ଓ୍ବାର୍ଡର ପାଟଣାସାହି, ତାରାତାରିଣୀ ରୋଡ୍‌ ପରିବା ବଜାର ଦେଇ ବିଜୁ ପଟ୍ଟନାୟକ ଛକରେ ପହଞ୍ଚିିଥିଲେ। ସେଠାରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ସହରକୁ ସ୍ବଚ୍ଛ ତଥା ସୁନ୍ଦର ରଖିବା ପାଇଁ ଅଧିକାରୀମାନେ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ପ୍ରତି ଓ୍ବାର୍ଡରେ ମହିଳାମାନଙ୍କୁ ସଫେଇ ସାଥୀ ଭାବେ ନିଯୁକ୍ତି କରି ସ୍ବଚ୍ଛତା ତଦାରଖ କରାଯିବ ବୋଲି ପୌର ଅଧିକାରୀ ପଣ୍ଡା କହିଛନ୍ତି।