ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି ହୋଇଛି। କଳାମୁଖା ଏବଂ ହେଲ୍‌ମେଟ ପିନ୍ଧିଥିବା ୭ଜଣ ଦୁର୍ବୃତ୍ତ ସେଣ୍ଟ୍ରମ୍‌ ମାଇକ୍ରୋ କ୍ରେଡିଟ୍‌ ଫାଇନାନ୍ସ କାର୍ଯ୍ୟାଳୟରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି କାର୍ଯ୍ୟାଳୟ ପରିଚାଳକ ତଥା ଭଞ୍ଜନଗରର ସୁନେଶ ପ୍ରଧାନ (୩୭), ଭଦ୍ରକ ଅଞ୍ଚଳର ସହକାରୀ ପରିଚାଳକ ପ୍ରକାଶ କୁମାର ପାଢ଼ୀ (୨୬), କର୍ମଚାରୀ ଜଗମୋହନ ଦାସ (୨୪) ଏବଂ ନିର୍ମଳ ରାଉତ (୨୧)। ଜଗମୋହନଙ୍କ ଘର ପୁରୀ ଏବଂ ନିର୍ମଳଙ୍କ ଭଦ୍ରକରେ ବୋଲି ଜଣାପଡ଼ିଛି।
ସୁନେଶଙ୍କ କହିବା କଥା, ରାତି ପ୍ରାୟ ୯ଟାରେ ୭ଜଣ ଅଭିଯୁକ୍ତ ମୁଣ୍ଡରେ ହେଲମେଟ୍‌ ଏବଂ ମୁହଁରେ କଳାକପଡ଼ା ପିନ୍ଧି ହଠାତ୍‌ କାର୍ଯ୍ୟାଳୟକୁ ପଶିଥିଲେ। କଟୁରି ଏବଂ ଜିଆଇ ପାଇପ୍‌ରେ ସେମାନେ ଅତର୍କିତ ଆକ୍ରମଣ କରିବା ସହ ନିସ୍ତୁକ ପିଟିଥିଲେ। ଏହାପରେ କର୍ମଚାରୀଙ୍କଠାରୁ ୨ଟି ଲାପଟପ୍‌, ୬ଟି ମୋବାଇଲ, ୬ଟି ହାତ ଘଣ୍ଟା, ନଗଦ ୫ ହଜାର ଟଙ୍କା ସହ ସୁନାମୁଦି, କାନଫୁଲ ଏବଂ ମଙ୍ଗଳସୂତ୍ର ଲୁଟି ନେଇଥିଲେ। ଯିବା ପୂର୍ବରୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ବହୁକଷ୍ଟରେ କର୍ମଚାରୀମାନେ କବାଟ ଭାଙ୍ଗି ପଦାକୁ ଆସିବା ପରେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଡକାୟତି ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୋଲିସ କର୍ମଚାରୀଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି।