Categories: ଜାତୀୟ

ସର୍ବଦଳୀୟ ବୈଠକ: ଗୃହରେ ବେରୋଜଗାରି ଉପରେ ଆଲୋଚନା ହେବାକୁ ଜୋର ଦେଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ମୋଦି ବିରୋଧୀ ଦଳଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ଏହାସହ ଗୃହରେ ବେରୋଜଗାରି ଉପରେ ମଧ୍ୟ ଆଲୋଚନା ହେଉ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ସଂସଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଆଲୋଚନା ଏବଂ ଯୁକ୍ତି କରିବା। ଏହି ଅଧିବେଶନ ପୂର୍ବ ଅଧିବେଶନ ଭଳି ଫଳପ୍ରଦ ହେବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ। ଏହି ବୈଠକରେ ୨୭ଟି ଦଳ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ।

Share