Categories: ମେଟ୍ରୋ

ସରିଲା ଶ୍ରୀଅଙ୍ଗ ଫିଟା ନୀତି: ମହାପ୍ରଭୁଙ୍କୁ ଆଜି ଫୁଲୁରୀ ତେଲ ଲାଗି

ପୁରୀ ଅଫିସ, ୨୧।୬: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଚାଲିଛି ଉପଚାର। ତେବେ ଅଣସର ସମୟରେ ଠାକୁରଙ୍କ ଉପଚାର ବିଧି ସମ୍ପର୍କରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଶୁକ୍ରବାର ହେଉଛି ଅଣସରର ଚତୁର୍ଥ ଦିବସ। ଏହିଦିନ ଠାକୁର ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରୀ, ମୁହଁରେ ଥିବା କନା ଆଦି କଢାଯାଇଛି। ଏହାକୁ ଶ୍ରୀଅଙ୍ଗ ଫିଟା ନୀତି କୁହାଯାଏ। ଶୁକ୍ରବାର ଏହି ନୀତି ସମ୍ପନ୍ନ ହୋଇଛି। ମୁହଁରୁ ଯେଉଁ କନା (ବିରୂପ) ବାହାରେ ତାକୁ ଅଲଗା ରଖାଯାଏ। ଏହି କନାକୁ ଅଣସର ଶୁଦ୍ଧସୁଆର ସେବକ ତ୍ରୟୋଦଶୀ ରାତିରେ ନେଇ କୋଇଲି ବୈକୁଣ୍ଠରେ ବିସର୍ଜନ କରିଥାନ୍ତି। ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, ପାଟଡୋରୀକୁ ଦ୍ୱାଦଶୀରେ ରାଜପ୍ରସାଦ ଆକାରରେ ରାଜା ନଅରକୁ ବିଜେ ହୁଏ। ଏହାକୁ ରାଜପ୍ରସାଦ ବିଜେ କୁହାଯାଏ। ଶନିବାର ଅର୍ଥାତ୍‌ ପଞ୍ଚମ ଦିନରେ ଠାକୁର କିଭଳି ସୁସ୍ଥ ହେବେ ସେଥିପାଇଁ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲ। ପୂର୍ବ ପରମ୍ପରା ଅନୁଯାୟୀ, ଏହି ଫୁଲୁରୀ ତେଲ ବଡ଼ ଓଡିଆ ମଠ ଯୋଗାଇଦେବ। ରାଶି ତେଲରେ ବିଭିନ୍ନ ପ୍ରକାର ଚେର, ଓଷଧୀୟ ଫୁଲ ଆଦି ମିଶାଯାଇ ଗୋଟିଏ ବର୍ଷ ପୂର୍ବରୁ ମାଟିତଳେ ପୋତା ଯାଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିବେ।