ସରକାରୀ ସହାୟତାରୁ ବଞ୍ଚିତ ପ୍ରକୃତ ନିର୍ମାଣ ଶ୍ରମକ, ହାତେଇଛନ୍ତି ସରକାରୀ କର୍ମଚାରୀ

ଲଖନପୁର,୨୩ା୪(ଡି.ଏନ୍‌.ଏ.) : କରୋନା ଭାଇରସ୍‌ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏଥିରେ ଗରିବ,ଅସହାୟ ଓ ନିର୍ମାଣ ଶ୍ରମିକ କାମଦାମ ନ ପାଇ ଘରେ ବସିରହିଛନ୍ତି। ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସହାୟତାର ହାତ ବଢାଇଛନ୍ତି ା ଏଥି ମଧ୍ୟରେ ଖାଉଟି ସାମଗ୍ରୀ, ଭତ୍ତା ଆଦି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସରକାରଙ୍କ ଏହି ସୁବିଧା ସୁଯୋଗକୁ କେତେକ ସରକାରୀ ଚାକିରିଆ,ସ୍ବଚ୍ଛଳବର୍ଗର ଲୋକେ, ଜନପ୍ରତିନିଧି ଚଞ୍ଚକତା କରି ହାତେଇ ନେଉଛନ୍ତି। ଫଳରେ ପ୍ରକୃତ ହିତାଧିକାରୀ ଏହିସବୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଲକ୍‌ଡାଉନ୍‌ରେ ଭୋକ ଉପବାସରେ ଘରେ ରହି ଦିନ ବିତାଉଛନ୍ତି। ଏସମ୍ପର୍କରେ ଜିଲା ପ୍ରଶାସନ,ବ୍ଲକ୍‌ ପ୍ରଶାସନ ଓ ଜିଲା ଶ୍ରମଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅସହାୟ ଗରିବ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ହୋଇଛି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ରେମତା ପଞ୍ଚାୟତ କିରିତିମାଲ ଗ୍ରାମରେ। ଏହି ଗ୍ରାମର ବହୁଶ୍ରମିକ ନିର୍ମାଣ ଶ୍ରମିକ ପାଇଁ ନିଜନିଜ ନାମ ପଞ୍ଜୀକରଣ କରିଥିଲେ। ଏହିସବୁ ଶ୍ରମିକମାନଙ୍କ ନିକଟରୁ ସ୍ଥାନୀୟ କେତେକ ବ୍ୟକ୍ତି ନିର୍ମାଣ ଶ୍ରମିକ କାର୍ଡ କରିଦେବା ପାଇଁ କହି ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଠକି ନେଇଛନ୍ତି। ହେଲେ ଏହି ଶ୍ରମିକମାନଙ୍କର କାର୍ଡ ହୋଇପାରିନାହିଁ। ଯାହାଫଳରେ ସରକାର ଏବେ ପ୍ରଦାନ କରୁଥିବା ୧୫ଶହ ଟଙ୍କା ସରକାରୀ ସହାୟତାରୁ ଶ୍ରମିକମାନେ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କିରିତିମାଲ ଗ୍ରାମର ନିତ୍ୟାନନ୍ଦ ପ୍ରଧାନ,ଡାକେଶ୍ୱର ପାଣ୍ଡେ,ପଦ୍ମଲୋଚନ ସିଦ୍ଦାର, ଅଶୋକ ପ୍ରଧାନ ଓ ଦଶରଥ କୋକ ପ୍ରମୁଖ। ନିର୍ମାଣ ଶ୍ରମିକ ଭାବେ ନାମ ପଞ୍ଜୀକରଣ କରିଥିବା ବେଳେ ତାଙ୍କ ନିକଟକୁ ଟଙ୍କା ଆସିନାହିଁ। ଏସମ୍ପର୍କରେ ଗ୍ରାମର ଶ୍ରମିକମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ ଦାବି କରିଛନ୍ତିି।