Categories: ବାଣିଜ୍ୟ

ସରକାରଙ୍କ ପଦକ୍ଷେପକୁ ଆଇସିିସିର ପ୍ରଶଂସା

ନୂଆଦିଲ୍ଲୀ,୧୪।୫: ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ପଦକ୍ଷେପକୁ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିିସି) ପକ୍ଷରୁ ପ୍ରଶଂସା କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ସଂଜ୍ଞା ନିର୍ଦ୍ଧାରଣ କରିବା ଲାଗି କାରବାର ସୀମାକୁ ବିଚାର କରିବା ନେଇ ଅନେକ ଦିନ ଧରି ଦାବି ହୋଇ ଆସୁଥିଲା। ଏହାକୁ ସରକାର ଲାଗୁ କରାଇଥିବାରୁ ସରକାରଙ୍କ ସଂଘ ଧନ୍ୟବାଦ ଜଣାଇଛି। ଏହାଦ୍ୱାରା ଅନେକ କମ୍ପାନୀ ଲାଭବାନ ହେବେ ବୋଲି କୁହାଯାଇଛି। ସରକାରଙ୍କ ୩ ଲକ୍ଷ କୋଟି ଟଙ୍କାର ଋଣ ସହାୟତା କ୍ଷେତ୍ର ଲାଗି ବେଶ୍‌ ଉପକାରୀ ସାବ୍ୟସ୍ତ ହେବ। ଏହା କ୍ଷେତ୍ରକୁ ଦୃଢ଼ କରିବା ଦିଗରେ ସହାୟକ ହେବ। ଏହାଦ୍ୱାରା ୫୦ ଲକ୍ଷ କମ୍ପାନୀ ଲାଭବାନ ହୋଇପାରିବେ। ଚାପରେ ରହିଥିବା କମ୍ପାନୀଙ୍କ ଲାଗି ୨୦ ହଜାର କୋଟି ଟଙ୍କାର ପାଣ୍ଠି, ଏନ୍‌ବିଏଫ୍‌ସି ଲାଗି ୩୦ ହଜାର କୋଟି, ଏମ୍‌ଏସ୍‌ଏମ୍‌ଇ ଲାଗି ୫୦ ହଜାର କୋଟି ଟଙ୍କାର ଇକ୍ୱିଟି ପୁଞ୍ଜି ଯୋଗାଣ ଏଗୁଡିକର ଅଭିବୃଦ୍ଧିରେ ସହାୟତା କରିବ। ଭବିଷ୍ୟନିଧି ପାଣ୍ଠି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ କମ୍ପାନୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ସଙ୍କଟରେ ରହିଥିବା ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ସହାୟତା, ଠିକାଦାରଙ୍କ ଲାଗି କଣ୍ଟ୍ରାକ୍ଟ ସୀମାରେ ସମ୍ପ୍ରସାରଣ ବେଶ୍‌ ଭଲ ପଦକ୍ଷେପ ବୋଲି ଆଇସିସି କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଅନ୍ତର୍ଗତ ବିଭିନ୍ନ ଘୋଷଣା କରାଯାଇଥିବାରୁ ଅର୍ଥମନ୍ତ୍ରୀଙ୍କୁ ଆଇସିସି ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି।

Share