ସମ୍ବିଧାନ ଛପା ହୋଇଥିବା ମେଶିନ୍‌ ଦେଢ଼ ଲକ୍ଷରେ ହେଲା ବିକ୍ରି

ଡେରାଡୁନ୍‌,୨୫।୧: ଦେଶର ସମ୍ବିଧାନ ଛପା ହୋଇଥିବା ୨ଟି ଲିଥୋଗ୍ରାଫ୍‌ ମେଶିନ୍‌କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ମେଶିନ୍‌ ଦ୍ୱାରା ସମ୍ବିଧାନର ହଜାରେ କପି ଛପା ହୋଇଥିଲା। ସୋବ୍ରିନ୍‌ ଏବଂ ମୋନାର୍କ ମଡେଲ ନାମକ ଏହି ପ୍ରିଣ୍ଟିଂ ମେଶିନ୍‌କୁ ୧୦୦ ବର୍ଷ ତଳେ କୈବଟ୍ରି କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଥିଲା। ମେଶିନ୍‌ର ଯନ୍ତ୍ରାଶଂକୁ ଖୋଲି ଗତ ବର୍ଷ ସ୍କ୍ରାପ୍‌ ଡିଲରଙ୍କୁ ବିକ୍ରି କରାଯାଇଥିଲା। ତେବେ ଏନେଇ ସୂଚନା ଏବେ ଦିଆଯାଇଛି। ମେଶିନ୍‌ ୨ଟି ସର୍ଭେ ଅଫ୍‌ ଇଣ୍ଡିଆ ପ୍ରେସ୍‌ରେ ୧୦୦ ବର୍ଷ ପର୍ଯ୍ୟନ୍ତ କାମ କରିଥିଲା। ୧୯୫୫ରେ ଡେରାଡୁନ୍‌ର ସର୍ଭେ ଇଣ୍ଡିଆ ପ୍ରେସ୍‌ ପକ୍ଷରୁ ଏହି ମେଶିନ୍‌ରେ ଭାରତୀୟ ସମ୍ବିଧାନର ଛପା କାର୍ଯ୍ୟ କରାଯାଇଥିଲା। କାଲିଗ୍ରାଫି କର୍ମଚାରୀ ପ୍ରେମ ବିହାରୀ ନାରାୟଣ ରାୟଜାଦା ଇଂଲିଶ୍‌ରେ ସମ୍ବିଧାନର ଅକ୍ଷର ସଜାଇବା କାର୍ଯ୍ୟ କରିଥିବା ବେଳେ ହିନ୍ଦୀରେ ବସନ୍ତ କୃପା ବୈଦ୍‌ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ସେହିପରି ପୃଷ୍ଠାର ଡିଜାଇନିଂ ନନ୍ଦଲାଲ୍‌ ବୋଷ, ବେହୋର ରାମମନୋହର ସିହ୍ନା ଏବଂ ଶାନ୍ତି ନିକେତନର କେତେକ ବ୍ୟକ୍ତି କରିଥିଲେ। ମେଶିନ୍‌ଗୁଡ଼ିକ ପୁରୁରା ହୋଇଯାଇଥିବାରୁ ଏହାକୁ ବିକ୍ରି କରାଯାଇଥିବା ସର୍ଭେୟର ଜେନେରାଲ ଅଫ୍‌ ଇଣ୍ଡିଆର ଅବସର ପ୍ରାପ୍ତ ଲ୍ୟୁଟନାଟ୍‌ ଜେନେରାଲ ଗିରିଶ କୁମାର ସୂଚନା ଦେଇଛନ୍ତି। ମେଶିନ୍‌ଗୁଡ଼ିକ କୌଣସି ଛପା କାର୍ଯ୍ୟରେ ବ୍ୟବହୃତ ହେଉ ନ ଥିବା ବେଳେ ରକ୍ଷାଣବେକ୍ଷଣ ପାଇଁ ଖର୍ଚ୍ଚ ହେଉଥିବାରୁ ଏପରି କରାଯାଇଥିବା କୁହାଯାଉଛି।

Share