ସମ୍ବଲପୁରରେ କୋଭିଡ୍‌ ମେଡିକାଲ ଉଦ୍‌ଘାଟିତ

ସମ୍ବଲପୁର,୨୨ା୪(ବ୍ୟୁରୋ)-ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ୍‌-୧୯ ମେଡିକାଲକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଦାସ କହିଛନ୍ତି, ଏହି ମେଡିକାଲ ୨ ଶହ ଶଯ୍ୟା ବିଶିଷ୍ଟ ଅଟେ । ସେଥିମଧ୍ୟରୁ ଆଇସିୟୁରେ ୨୦ ଓ ଏଚ୍‌ଡିୟୁରେ ୧୦ ଶଯ୍ୟା ରହିଛି । ୧୭୦ ସାଧାରଣ ଶଯ୍ୟା ରହିଛି । ବୁଧବାରଠାରୁ ୫ ଟି ଆଇସିୟୁ ଓ ୫ ଏଚଡିୟୁ କାର୍ଯ୍ୟକ୍ଷମ ହୋଇଛି । ୨ ଟି ଡାଇଲୋସିସ ମେଶିନ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ଏହି ମେଡିକାଲ ପାଇଁ ୯୪ ଜଣ ଡାକ୍ତର, ପାରାମେଡିକାଲ ଓ ଅନ୍ୟାନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆବଶ୍ୟକ ପଡିଲେ ବୁର୍ଲା ଭିମ୍‌ସାରରୁ ଅଧିକ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯିବ । ସେମାନଙ୍କ ରହିବା ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମେଡିକାଲରେ ବ୍ୟବହାର ହୋଇଥିବା ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାୟୀ ହୋଇରହିବ । ପରେ ଜିଲାବାସୀ ଏହାର ସୁବିଧା ପାଇ ପାରିବେ । ସଦରମେଡିକାଲକୁ ଆସୁଥିବା ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେହି ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଦାସ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଅନୁରୋଧ ରକ୍ଷା କରି କରୋନା ମୁକାବିଲାରେ ସମସ୍ତେ ସହଯୋଗ କରନ୍ତୁ । ବଲାଙ୍ଗୀର ଜିଲା ଭୀମଭୋଇ ମେଡିକାଲରେ ୧୫ ଦିନ ଭିତରେ କୋଭିଡ-୧୯ ପୁଲ ଟେଷ୍ଟ ଆରମ୍ଭ ହେବ । ବୁର୍ଲା ଭିମ୍‌ସାରର ଏହି ଟେଷ୍ଟ ୨ ଦିନ ହେବ ଆରମ୍ଭ ହୋଇଛି । ୨୦ ନମୁନା ପରୀକ୍ଷା ସଫଳ ଭାବେ ସରିଥିବା ମନ୍ତ୍ରୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ସୁକାନ୍ତ ତ୍ରିପାଠୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଶଶୀଭୂଷଣ ପଟେଲ ଉପସ୍ଥିତ ଥିଲେ ।