ସମ୍ପାଦକୀୟ/ ଉଦ୍ଭଟ: ଜହ୍ନରେ ଜଳଖୋଜା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍‌ ଧାଓ୍ବନ ମହାକାଶ କେନ୍ଦ୍ରରୁ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ପାଇଁ ୧୪ ଜୁଲାଇ ରାତି ୨ଟା ୫୧କୁ ସମୟ ନିର୍ଘଣ୍ଟ କରାଯାଇଥିଲା। ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଘୋଷଣା କରାଗଲା। ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ହୋଇଥିଲେ ଚନ୍ଦ୍ରରେ ଜଳର ସନ୍ଧାନ ଦିଗରେ କାର୍ଯ୍ୟ କରୁଥିବା ରୁଷିଆ, ଆମେରିକା ଓ ଚାଇନା ପରେ ଭାରତ ଉକ୍ତ ବିଶେଷ ସମ୍ଭ୍ରାନ୍ତ ଗୋଷ୍ଠୀରେ ସାମିଲ ହୋଇଥାଆନ୍ତା। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଜଳର ସନ୍ଧାନ ଓ ସେଠାରେP ଜୀବସତ୍ତା ତିଷ୍ଠିବା ନେଇ ଭାରତ କରୁଥିବା ପ୍ରୟାସକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକ ବୃହତ୍‌ ପରୀକ୍ଷଣ ବୋଲି କୁହାଯାଇପାରେ। କିନ୍ତୁ ବାସ୍ତବ ଦିଗରୁ ଦେଖିଲେ ଏ ଦେଶର ସାଧାରଣ ଲୋକଙ୍କ ଲାଗି ଜହ୍ନରେ ଜଳ ଖୋଜିବା ଲାଗି ଅସଂଖ୍ୟ କୋଟି ଟଙ୍କା ଖର୍ଚ୍ଚ କୌଣସି ଲକ୍ଷ୍ୟ ପୂରଣରେ ସକ୍ଷମ ହୋଇପାରିବ ନାହିଁ। କାରଣ ଭାରତର ଅଧିକାଂଶ ସ୍ଥାନରେ ଜଳର ଉତ୍କଟ ଅଭାବ ଦେଶବାସୀଙ୍କୁ ଅତିଷ୍ଠ କରି ରଖିଛି। ଏହାର ସଦ୍ୟ ଉଦାହରଣ ଚେନ୍ନାଇ। ଏହି ସହର ନିକଟବର୍ତ୍ତୀ ୪ଟି ଜଳଭଣ୍ଡାର ଶୁଖିଯିବା ପରେ ନଗରବାସିନ୍ଦା ହାହାକାର କରୁଛନ୍ତି। ଲୋକଙ୍କ ତୃଷ୍ଣା ମେଣ୍ଟାଇବା ଲାଗି ୧୨ ଜୁଲାଇରେ ଭେଲୋରରୁ ଚେନ୍ନାଇକୁ ୫୦ ଓ୍ବାଗନ୍‌ ଭର୍ତ୍ତି ଟ୍ରେନ୍‌ରେ ୨.୫ ନିୟୁତ ଲିଟର ଜଳ ପଠାଯାଇଥିଲା। ଯେଉଁ ସହର ୫୨୫ ନିୟୁତ ଲିଟର ଜଳ ଦୈନିକ ଆବଶ୍ୟକ କରୁଥିଲା, ସେଠାରେ ଜଳଭଣ୍ଡାରଗୁଡ଼ିକ ଶୁଖିଯିବା ହେତୁ ୪୦ ପ୍ରତିଶତ ପାଇପ୍‌ ଜଳ ଯୋଗାଣ କମିଯିବା ପରେ ପରିସ୍ଥିତି କେଉଁଭଳି ସ୍ତରକୁ ଆସିଯାଇଛି ତାହା ବୁଝିବା କଷ୍ଟକର ନୁହେଁ। ଏଥିସହିତ ଚେନ୍ନାଇର ଭୂତଳ ଜଳରେ ଅତ୍ୟଧିକ ଲୁଣି ଅଂଶ ରହିବା ଏବଂ ଏହା କ୍ରମାଗତ ହ୍ରାସ ପାଉଥିବାରୁ ଜଳ ଚିନ୍ତା ସେଠାକାର ଅଧିବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଉକ୍ତ ସହର ବର୍ଷାଜଳ ସଂରକ୍ଷଣ ପାଇଁ ସେଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରିନାହିଁ। ଏପରିକି ସମୁଦ୍ରଜଳକୁ ପାନୀୟ ଜଳରେ ପରିଣତ କରିବା ସକାଶେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରି ନ ଥିବାରୁ ଏହାର ଦୁଃଖ ଅଧିକ ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ ସିଙ୍ଗାପୁରକୁ ଉଦାହରଣ ଭାବେ ଦେଖିଲେ ସେଠାରେ କେବଳ ସମୁଦ୍ରର ଲବଣଜଳ ଅପସାରଣ ପରେ ସେଥିରୁ ପାନୀୟ ଜଳ ସଂଗ୍ରହ କରି ଲୋକେ ବଞ୍ଚି ଚାଲିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଜଳାଭାବ କେବଳ ଚେନ୍ନାଇ ସହରର ସମସ୍ୟା ନୁହେଁ। ଗ୍ରୀଷ୍ମ ଋତୁରେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ପ୍ରବଳ ଜଳ ସଙ୍କଟ ଲୋକଙ୍କୁ ହନ୍ତସନ୍ତ କରୁଛି।
ଜହ୍ନରେ ପାଣି ଖୋଜୁଥିବା ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଦେଶର ଜଳାଭାବ ଦେଖାଦେଉଥିବା ଭୂଭାଗ ଏକ ଚ୍ୟାଲେଞ୍ଜ ହେବା କଥା। ବୈଜ୍ଞାନିକ ଉନ୍ନତି ମାନବସମାଜ ପାଇଁ ବରଦାନ ସଦୃଶ ହେଲେ ତାହା ଯଥାର୍ଥ ମନେହୁଏ। ଅନ୍ୟ ଦେଶର ମହାକାଶ ଯାତ୍ରା ସହ ତୁଳନା କରି ଅନେକେ ଆମ ଚିନ୍ତାଧାରାକୁ ବିରୋଧ କରିପାରନ୍ତି, କିନ୍ତୁ ସେମାନେ ବାସ୍ତବତା ବୁଝିବା ଦରକାର। ଭାରତର ଚନ୍ଦ୍ରୟାନ-୨ ଏବେ ସ୍ଥଗିତ ରହିବା ପରେ ଏହାର ସଫଳତା କେବେ ମିଳିବ ଭିନ୍ନ ପ୍ରସଙ୍ଗ। କିନ୍ତୁ ଏଥିଲାଗି ବ୍ୟୟ ହୋଇଥିବା ବିପୁଳ ଅର୍ଥ ନଷ୍ଟ ହେଲା ଭଳି ମନେହେଉଛି। ଯଦିବା ସଫଳତା ମିଳିଥାଆନ୍ତା ବା ମିଳିବ, ତେବେ ସାଧାରଣ ଭାରତୀୟ ଏହା ଦ୍ୱାରା ଉପକୃତ ହେବାର ଆଶା କ୍ଷୀଣ। କେବଳ କେତେକ ବଡ଼ପାଟିଆ ଭାରତୀୟଙ୍କୁ ମହାକାଶ ଗବେଷଣା ପାଇଁ ଗର୍ବ କରିବାକୁ ଅବକାଶ ମିଳିପାରେ। ଯେଉଁ ରାଷ୍ଟ୍ରରେ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି, ସେଠାରେ ଏଭଳି ଅନାବଶ୍ୟକ ବୈଜ୍ଞାନିକ ବିକାଶର କୌଣସି ସ୍ଥାନ ନାହିଁ। ବରଂ ମୁନ୍‌ ମିଶନ୍‌ର କାହିଁ କେତେ ଭାଗରୁ କମ୍‌ ଅର୍ଥ ବ୍ୟୟ କରାଯାଇପାରିଲେ ଭାରତର ଅପହଞ୍ଚ ଇଲାକାର ଲୋକଙ୍କ ପାଇଁ ଜଳ ଉତ୍ସ ସୃଷ୍ଟି କରାଯାଇପାରନ୍ତା। ଭାରତର ଦୁଃଖ, ଏହା ବିକଶିତ ରାଷ୍ଟ୍ରକୁ ଦେଖି କାର୍ଯ୍ୟସୂଚୀ ତିଆରି କରୁଛି। ନିଜ ଆବଶ୍ୟକତାକୁ ଦେଖି ନିଜସ୍ବ ପଥ ବାହାର କରିପାରିଲେ ଦେଶର ବିକାଶ ସମ୍ଭବ ହୋଇପାରେ। ଏହି ପରିପ୍ରେକ୍ଷୀରେ ମହାକାଶ କ୍ଷେତ୍ରରେ ଭାରତର ଉଚ୍ଚାକାଂକ୍ଷା ପୃଥିବୀର ଉନ୍ନତି ପାଇଁ ଅଭିପ୍ରେତ କି ବୋଲି ପ୍ରଶ୍ନ ଉଠିପାରେ। ଅବଶ୍ୟ ବର୍ଷବର୍ଷ ଧରି ଜଳବାୟୁ ଭବିଷ୍ୟବାଣୀ ଓ ରିମୋଟ୍‌ ସେନ୍‌ସିଂ କ୍ଷେତ୍ରରେ ଅନେକ ଉନ୍ନତି ଘଟିଛି। କିନ୍ତୁ ଏହାକୁ ଆଳ କରି ଅତ୍ୟଧିକ ଅର୍ଥ ବ୍ୟୟ କରାଯିବା ସମୀଚୀନ ନୁହେଁ। ଯେତେବେଳେ ମଣିଷର ଆବଶ୍ୟକତା କଥା ଉଠୁଛି, ସେତେବେଳେ ମହାକାଶ ଗବେଷଣା ଉପରେ କଟକଣା ଲଗାଇବା ପ୍ରସଙ୍ଗ ବିତର୍କର ଅପେକ୍ଷା ରଖୁଛି। ସମସ୍ୟା ଉପୁଜୁଛି ଯେତେବେଳେ ଭାରତର ଆର୍ଥତ୍କ ବିଷମତା ପ୍ରସଙ୍ଗ ପାଲଟିଯାଉଛି। ଅନେକ ଶତାବ୍ଦୀ ଧରି ବିଦେଶୀ ଶାସନରେ ରହିବା ଯୋଗୁ ଭାରତର ମେରୁଦଣ୍ଡ ଦୋହଲି ଯାଇଛି । ଏ ଦେଶର ବୃହତ୍‌ ଜନଶକ୍ତି କେବେ କଠିନ ପରିଶ୍ରମ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବିକାଶ ଆଣିବା ସକାଶେ ଏକ ସମାନ୍ତରାଳ ଓ ଫଳପ୍ରଦ ବ୍ୟୟ କରିବା ଯଥାର୍ଥ ବୋଲି ଚିନ୍ତା କରିନାହିଁ। କେବଳ ଆଶାବାଦ ବାସ୍ତବ ସମସ୍ୟାକୁ ଲଂଘିବା ପାଇଁ ପର୍ଯ୍ୟାପ୍ତ ହୋଇପାରିବ ନାହିଁ। ତେଣୁ ଏ ଦେଶ ଏହାର ଅଡ଼ୁଆଗୁଡ଼ିକୁ ଭଲ ଭାବେ ବୁଝିବା ଦରକାର।
ଇଣ୍ଡୋନେସିଆ, ମାଲେସିଆ, ସିଙ୍ଗାପୁର ଏବଂ ଥାଇଲାଣ୍ଡ ଭଳି ଦକ୍ଷିଣ ପୂର୍ବ ଏସିଆର ଏହି ରାଷ୍ଟ୍ରଗୁଡ଼ିକ ଗତ ୩ ଦଶନ୍ଧି ମଧ୍ୟରେ ଦ୍ରୁତ ପ୍ରଗତି କରିଛନ୍ତି। ୧୯୯୭-୯୮ର ଏସୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ଦେଶଗୁଡ଼ିକ ଯେଉଁ ବିଷୟ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରାସଙ୍ଗିକତା ରଖି ନ ଥିଲା, ତାହାକୁ ଅଣଦେଖା କରି ମାନବ ବିକାଶ ଉପରେ କେନ୍ଦ୍ରିତ କରିଥିବାରୁ ଏଭଳି ସଫଳତା ପାଇପାରିଛନ୍ତି। ଭାରତ ଡେରିରେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପାଦ ଥାପିଥିବାରୁ ଅଧିକ ଅନ୍ବେଷଣ କରିବା ଲାଗି ନିରନ୍ତର ପ୍ରୟାସ କରିବାକୁ ପଡ଼ିବ। ବୈଜ୍ଞାନିକ ଉନ୍ନତି ଲାଗି କେବଳ ଗର୍ବ ଅନୁଭବ କଲେ ହେବ ନାହିଁ, ଏହା ସାଧାରଣ ମଣିଷର କେତେ ମଙ୍ଗଳରେ ଆସିପାରୁଛି ତାହା ସବୁଠାରୁ ବଡ଼ କଥା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri