ସବୁଦିନ ସ୍କୁଲ ପଠାଇବାକୁ ସଂକଳ୍ପ ନେଲେ ଅଭିଭାବକ

ଗୋବିନ୍ଦପାଲି,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଉଦୁଲିବେଡ଼ା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲାଣଗୁଡ଼ା-୨ ପକ୍ଷରୁ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଛାଟୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ର ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ଦେଈ, ଖଇରପୁଟ ଏବିଇଓ ଅନୁପ ପରିଚ୍ଛା, ପ୍ରହ୍ଲାଦ ଛାଟୋଇଙ୍କ ସମେତ ଆଶାକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀ, ଛାତ୍ରୀଛାତ୍ର, ଅଭିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଏହି ଅବସରରେ ଶିକ୍ଷା ଅଧିକାର ଏବଂ ଶିକ୍ଷାର ମହତ୍ତ୍ୱ ବୁଝାଇବା ସହ ୬ରୁ ୧୪ ବର୍ଷର ଶିଶୁଙ୍କୁ ଘରୋଇ କାମରେ ନିୟୋଜିତ ନ କରି ପ୍ରତ୍ୟେକଦିନ ସ୍କୁଲକୁ ପଠାଇବାକୁ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ସବୁଦିନ ଆମେ ସ୍କୁଲ ଯିବା’ସ୍ଲୋଗାନ ଦେଇ ପିଲାମାନେ ଚାଲାଣଗୁଡ଼ା ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ‘ପାଠ ପଢ଼, ମଦ ଛାଡ଼’ ଓ ସ୍ବଚ୍ଛ ଭାରତ ସମ୍ପର୍କିତ ୨ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ସେହିପରି ଅଭିଭାବକମାନେ ପିଲାଙ୍କୁ ସବୁଦିନ ସ୍କୁଲ ପଠାଇବାକୁ ସଂକଳ୍ପ ନେଇଥିଲେ।