Categories: ଗଞ୍ଜାମ

ସବୁଜ ସୁନ୍ଦର ହେବ ବ୍ରହ୍ମପୁର

ବ୍ରହ୍ମପୁର ଅଫିସ,୨୭ା୬-ବ୍ରହ୍ମପୁରର ସୌନ୍ଦର୍ଯ୍ୟକରଣ ନେଇ ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବହୁ ପଦକ୍ଷେପ ହାତକୁ ନିଆଯାଇଛି । ଏବେ ସହରକୁ ସବୁଜ ସୁନ୍ଦର କରିବାକୁ ବିଏମ୍‌ସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବୁଧବାର ଏକ ସ୍ବତନ୍ତ୍ର ବୈଠକ ବିଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସହରକୁ ସବୁଜ ସୁନ୍ଦର କରିବାକୁ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ା ସହରରେ ବଢୁଥିବା ବାୟୁ, ପରିବେଶ ପ୍ରଦୂଷଣକୁ ରୋକିବା ତଥା ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପ୍ରତ୍ୟେକ ଅଞ୍ଚଳ ଓ ରାସ୍ତା ପାର୍ଶ୍ୱରେ ଚାରାରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ା ଏଥିପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ କରାଯିବ। ପ୍ରତି ୱାର୍ଡରେ ୱାର୍ଡ ପ୍ଲାଣ୍ଟେଶନ କମିଟି ଗଠନ କରାଯିବ ା ଯାହା ପ୍ରତିୱାର୍ଡରେ ଲଗାଯାଇଥିବା ଚାରାର ଯତ୍ନ ନେବେ ା
ଏହାବ୍ୟତୀତ ଚାରାଗୁଡିକର ସୁରକ୍ଷା ଦାୟିତ୍ୱ ବନବିଭାଗକୁ ପ୍ରଦାନ କରାଯିବାକୁ ଜିଲାପାଳ ସୂଚାଇଥିଲେ ା ସହରର ବିିଭିନ୍ନ ୱାର୍ଡରେ ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଉପଯୋଗ ଚାରା ରୋପଣ କରାଯିବା ସହ ରାମଲିଙ୍ଗମ୍‌ ପୋଖରୀ ଭଳି ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଡେକୋରେଟିଭ ବୃକ୍ଷ ଚାରା ରୋପଣ କରାଯିବା ନେଇ ନିଗମ ଡେପୁଟି କମିଶନର ରାଉତରାୟ ସୂଚାଇଥିଲେ। ଗୁରୁବାରରୁ ୱାର୍ଡଗୁଡିକରେ ଚାରାରୋପଣ ନେଇ ସର୍ଭେ ଆରମ୍ଭ ହେବା ସହ ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ଶେଷ ହେବା ନେଇ ବୈଠକରେ କୁହାଯାଇଛି ା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା, ଉପଜିଲାପାଳ ଦିଗନ୍ତ ରାଉତରାୟ, ଡେପୁଟି କମିଶନର ସୌରୀନ୍ଦ୍ର ରାଉତରାୟ, ବ୍ରହ୍ମପୁର ତହସିଲଦାର ଦୟାମୟ ପାଢୀ, ବିଡିଏ ସଚିବ ସମ୍ବିତ ରାଉତ ଓ ବିଏମ୍‌ସିର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା