ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ସ୍କଟଲାଣ୍ଡର ଏକ ସଫାରି ପାର୍କରେ ବିଭିନ୍ନ ପ୍ରଜାତିର ଡାଇନୋସରସ୍‌ଙ୍କ ପ୍ରତିକୃତି ସ୍ଥାପନ କରାଯାଇଛି। ସ୍ଥାନୀୟ ଷ୍ଟ୍ରିଲିଙ୍ଗ୍‌ ସ୍ଥିତ ବ୍ଲେଆର ଡ୍ରୁମୋଣ୍ଡ ସଫାରି ପାର୍କ କର୍ତ୍ତୃପକ୍ଷ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ପାର୍କର ୧୦୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ୨୦ଟି ଡାଇନୋସରସ୍‌ ମଡେଲ ସ୍ଥାପନ କରାଯାଇଛି। ସେଥିମଧ୍ୟରେ ଭେଲୋସିରାପଟୋର୍‌, ଡାଇପ୍ଲୋଡୋକସ୍‌ ଏବଂ ଟି-ରେକ୍ସ୍‌ ଆଦି ଡାଇନୋସରସ୍‌ ପ୍ରଜାତିର ମଡେଲ ରହିଛି। ଏହାକୁ ଷ୍ଟିଲରେ ନିର୍ମାଣ କରାଯାଇଥିବାବେଳେ ଏଥିରେ ସିଲିକନ୍‌ ଚର୍ମର ଆବରଣ ଦିଆଯାଇଛି। ଡାଇନୋସରସ୍‌ ମଡେଲ ଗୁଡ଼ିକ ଆଖି ମିଟି ମିଟି କରିବା ସହିତ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ଦେଖିବାକୁ ମିଳିବ। ଏହି ମଡ଼େଲଗୁଡ଼ିକ ମୁଣ୍ଡ ହଲାଇ ଜୀବିତ ଡାଇନୋସରସ୍‌ ଭଳି ଭୟଙ୍କର ଶବ୍ଦ ସୃଷ୍ଟି କରିବେ ବୋଲି ପାର୍କର ପରିଚାଳକ ଗାରି ଗିଲମୋର୍‌ ସୂଚନା ଦେଇଛନ୍ତି। ପାର୍କରେ ଥିବା ସର୍ବବୃହତ୍‌ ଡାଇନୋସରସ୍‌ର ଲମ୍ବ ୨୧ ମିଟର। ଏହା ଡାଇପ୍ଲୋଡୋକସ୍‌ ପ୍ରଜାତିର ପ୍ରତିକୃତି। ପାର୍କର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ଡାଇନୋସରସ୍‌ ସଫାରି ନିର୍ମାଣ କରାଯାଇଥିବା ସେ କହିଛନ୍ତି।

Share