ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ

ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ ବଢ଼ିଯାଇଛି ଯେ, ଅଧିକାଂଶ କମ୍ପାନୀ ୨୪ଘଣ୍ଟା ପାଇଁ କାମ କରୁଛି। ଏତେ କାର୍ଯ୍ୟବ୍ୟସ୍ତତା ଭିତରେ କର୍ମଚାରୀମାନେ ସାପ୍ତାହିକ ଛୁଟିକୁ ଅନାଇ ବସିଥାନ୍ତି। ଛୁଟି ହେଲେ କର୍ମଚାରୀଙ୍କ ଖୁସି କହିଲେ ନ ସରେ। ତେବେ କିଛି ସଫ୍ଟଓ୍ବେୟାର କମ୍ପାନୀଗୁଡ଼ିକରେ କର୍ମଚାରୀଙ୍କୁ ସପ୍ତାହରେ ୨ ଦିନ ଛୁଟି ଦିଆଯାଇଥାଏ। ହେଲେ ଜାପାନରେ ଏଭଳି ଏକ ମାଇକ୍ରୋସଫ୍ଟ କମ୍ପାନୀ ଅଛି, ଯିଏ କର୍ମଚାରୀଙ୍କୁ ୪ଦିନ କାମ କରାଇବା ସହ ୩ଦିନ ଛୁଟି ଦେଇଥାଏ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଜାପାନର ଏକ କମ୍ପାନୀ ଅଗଷ୍ଟରେ ନିଜ କର୍ମଚାରୀଙ୍କୁ ପରୀକ୍ଷାମୂଳକ ଭାବେ ଓ୍ବାର୍କ ଲାଇଫ୍‌ ଚଏସ୍‌ ଚ୍ୟାଲେଞ୍ଜ ୨୦୧୯ର ଏକ ପ୍ରୋଜେକ୍ଟ ଉପରେ କାମ କରିଥିଲା। ଯେଉଁଥିରେ ଏକ ମାସରେ କର୍ମଚାରୀମାନେ ୪ ଦିନ କାମ କରିବା ସହ ୩ଦିନ ଛୁଟି ନେଇଥିଲେ। ହେଲେ ମାସେ ପରେ ଏହାର ପରିଣାମକୁ ଦେଖି କମ୍ପାନୀ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରୀକ୍ଷାମୂଳକ ଭାବେ କରାଯାଇଥିବା ପ୍ରୋଜେକ୍ଟର ରିପୋର୍ଟ ଅନୁସାରେ, ଏହି କାର୍ଯ୍ୟଶୈଳୀ ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟକରିବାର କ୍ଷମତା ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୪୦ପ୍ରତିଶତ ଅଧିକ ବୃଦ୍ଧି ପାଇଛି। ତେବେ କମ୍‌ ଦିନ କାମ କରିବା ପରେ ଯେଉଁ ପରିଣାମ ଆସିଛି ତାକୁ ନେଇ ସମସ୍ତେ ଚକିତ ହୋଇପଡ଼ିଥିଲେ। କାରଣ କମ୍ପାନୀ ନିଜ କର୍ମଚାରୀଙ୍କୁ ସପ୍ତାହରେ ଶୁକ୍ରବାର, ଶନିବାର ଓ ରବିବାର ଛୁଟି ଦେଇଥିଲା। ଆଉ କର୍ମଚାରୀଙ୍କୁ ସପ୍ତାହରେ ୫ କି ୬ ଦିନ ନୁହେଁ ବରଂ ୪ଦିନ କାମ କରିବାକୁ ପଡ଼ିଥିଲା। ଏଥିଯୋଗୁ କାର୍ଯ୍ୟାଳୟରେ ୫୯ ପ୍ରତିଶତ କାଗଜର ବ୍ୟବହାର କରାଯାଇଥିବା ବେଳେ ବିଦ୍ୟୁତ୍‌ ଖର୍ଚ୍ଚ ମଧ୍ୟ ୨୯ ପ୍ରତିଶତ କମ୍‌ ହୋଇଥିଲା।

Japanese office

କେବଳ ସେତିକି ନୁହେଁ କୌଣସି ବୈଠକ ୩୦ ମିନିଟ୍‌ରୁ ଅଧିକ ଚାଲି ନ ଥିଲା। ଏଥିସହ ସବୁ ଇମେଲ୍‌ର ଜବାବ ସଙ୍ଗେ ସଙ୍ଗେ ଦିଆଯାଇଥିବା ବେଳେ କମ୍ପାନୀ ସପକ୍ଷରେ ଯାଉଥିବା ସମସ୍ତ ନିଷ୍ପତ୍ତିକୁ ତୁରନ୍ତ ନିଆଯାଇଥିଲା। ଏହି ନିୟମ ଯୋଗୁ କର୍ମଚାରୀ ମଧ୍ୟ ବେଶ୍‌ ଖୁସି ଅନୁଭବ କରିଥିଲେ। ଫଳରେ କର୍ମଚାରୀଙ୍କ କାର୍ଯ୍ୟକରିବାର କ୍ଷମତା ୪୦ ପ୍ରତିଶତ ଅଧିକ ବୃଦ୍ଧି ପାଇଥିଲା। ସୂଚନାମୁତବକ ଜାପାନ ଏଭଳି ଏକ ଦେଶ ଯେଉଁଠାରେ କର୍ମଚାରୀଙ୍କଠାରୁ ଅତ୍ୟଧିକ ମାତ୍ରାରେ କାମ କରାଯାଇଥାଏ। ଏଭଳି ଉପାୟ ଯୋଗୁ ୯୪ ପ୍ରତିଶତ କର୍ମଚାରୀ ଖୁସି ହେବା ସହ କମ୍ପାନୀ ମଧ୍ୟ ଲାଭବାନ ହୋଇଥିଲା। ଫଳରେ ଉକ୍ତ କମ୍ପାନୀ ପୁଣି ଥରେ ଏହି ପ୍ରୋଜେକ୍ଟ ଉପରେ କାମ କରିବାକୁ ଇଛା ପ୍ରକାଶ କରିଛି।

Share