‘ସପ୍ତାହରେ କିଛି ଦିନ ଖୋଲାଯାଉ ଲୁଗା ଦୋକାନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱର ଟେକ୍ସଟାଇଲ୍‌ ଆଣ୍ଡ ରେଡ଼ିମେଡ ମର୍ଚ୍ଚାଣ୍ଟ ଆସୋସିଏଶନ୍‌ ତରଫରୁ ଜିଲାରେ ଦୀର୍ଘ ୫୫ଦିନ ଧରି ବନ୍ଦ ରହିଥିବା ରେଡ଼ିମେଡ ଡ୍ରେସ୍‌ ଏବଂ ଲୁଗା ଦୋକାନ ସପ୍ତାହରେ କିଛି ଦିନ ଖୋଲିବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରାଯାଇଥିଲା। ଏଥିପ୍ରତି ଦୃଷ୍ଟି ଦିଆ ନ ଯିବାରୁ ସେମାନଙ୍କ ଆର୍ଥିକ ଅବସ୍ଥା ସଙ୍କଟରେ ପଡ଼ିଥିବା ମୋତିଗଞ୍ଜସ୍ଥିତ ଆସୋସିଏଶନ୍‌ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।
ଦୀର୍ଘଦିନ ଧରି ଦୋକାନ ବନ୍ଦ ରହିବା କାରଣରୁ ସେମାନଙ୍କ ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଛୋଟବଡ଼ ଗାର୍ମେଣ୍ଟ ଓ ଲୁଗା ଦୋକାନ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରୁଥିଲେ। ଦେଶରେ ଲକ୍‌ଡାଉନ୍‌ ପରେ ସେମାନେ ଏକପ୍ରକାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କିଛି ନିୟମ କୋହଳ ହେବା ପରେ ଆସୋସିଏଶନ ତରଫରୁ ଗତ ୪ ତାରିଖରେ ଜିଲାପାଳଙ୍କୁ ସମସ୍ତ ନିୟମ ସହ ସପ୍ତାହରେ କିଛି ଦିନ ଦୋକାନ ଖୋଲିବା ନେଇ ଜଣାଇଥିଲେ। ଗତ ୧୧ ତାରିଖରେ ଜିଲାପାଳ ଆସୋସିଏସନ୍‌ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରି ଗୋଟିଏ ଦିନ ପରେ ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୫ଦିନ ପରେ ମଧ୍ୟ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଶୁକ୍ରବାର ସେମାନଙ୍କର ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଯାଇଛି। ଏହି ସମ୍ମିଳନୀରେ ସଭାପତି ଅଶୋକ ସାହା, ସମ୍ପାଦକ ସୌମେନ୍ଦ୍ର ଦାସ, ରାଜେଶ ମୋଦୀ, ଅମିତ୍‌ ଅଗ୍ରୱାଲ, ବିକାଶ ସୌରାଙ୍ଗି, ରାକେଶ ଅଗ୍ରୱାଲ, କିଶାନ ସାହା, ମନୀଷ ଅଗ୍ରୱାଲ ଓ ବଳରାମ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।