ସଡ଼କ ସୁରକ୍ଷା, ପ୍ରଦୂଷଣ ପ୍ରତିକାର ଦାବିରେ ଜିଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ସହରସ୍ଥିତ ଭଟଲି ଛକ ତଥା ସଂଲଗ୍ନ ରାସ୍ତାର ବିକାଶ, ସହରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଦୂଷଣର ପ୍ରତିକାର ଦାବିରେ ଶୁକ୍ରବାର ସ୍ଥାନୀୟ ନାଗରିକମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସହରର ଭଟଲି ଛକ ପ୍ରମୁଖ ପ୍ରବେଶ ପଥ ହୋଇଥିବା ବେଳେ ସେଠାରେ ବିପଦସଙ୍କୁଳ ରାସ୍ତା ଯୋଗୁ ଯାତ୍ରୀ, ସ୍ଥାନୀୟ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ଜୀବନ ଅସୁରକ୍ଷିତ ହୋଇ ପଡ଼ିଛି। ସେହିପରି ସେଠାକୁ ସଂଲଗ୍ନ ରାସ୍ତାଘାଟ, ନାଳ ନର୍ଦ୍ଦମା ସଫେଇ ହେଉ ନ ଥିବାରୁ ଅଞ୍ଚଳ ପ୍ରଦୂଷିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଆଗକୁ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ସାଙ୍ଗକୁ ପ୍ରଦୂଷଣ ପ୍ରତିକାର ଦିଗରେ ବିହିତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଜିଲାପାଳଙ୍କୁ ନିବେଦନ କରାଯାଇଛି। ସ୍ଥାନୀୟ ଏସ୍‌ପି ଏବଂ ପୌର ନିିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । କେଦାରନାଥ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।