ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ମାଡ଼ ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଓଷ୍ଟା

ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ଥିବା ତୋଟାପଡ଼ା ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଗତ ୨୪ ତାରିଖରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଓ ଅନ୍ୟ ସଙ୍ଗଠନ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଙ୍ଗଳବାର ଓଷ୍ଟା ବାଲେଶ୍ୱର ଶାଖା ପକ୍ଷରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ଦିଆଯାଇଛି।
ଖଇରାର ଶିକ୍ଷକ ସମନ୍ବୟ ସମିତି ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଡ଼ିଓ, ତହସିଲଦାର ଓ ସିମୁଳିଆ ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ସହ ଆବଶ୍ୟକ ପଡ଼ିଲେ କୋଭିଡ୍‌-୧୯ ଦାୟିତ୍ୱରୁ ଓହରିଯିବେ ବୋଲି ସଭାପତି ବାଦଲ ଚନ୍ଦ୍ର ପାତ୍ର, ସମ୍ପାଦକ ମନୋରଞ୍ଜନ ଦାସ, ଶିକ୍ଷକ ନେତା ଅକ୍ଷୟ ମିଶ୍ର, ଦୀପକ କୁମାର ଆଚାର୍ଯ୍ୟ, ରାଜେନ୍ଦୁ ବିକାଶ ପାତ୍ର, ନିରଞ୍ଜନ ଦାସ, ନବକିଶୋର ବାରିକ, ଷଡ଼ାନନ ପାଣିଗ୍ରାହୀ, ରାଧାକାନ୍ତ ପଣ୍ଡା, ଅସିତ ଦାସ ପ୍ରମୁଖ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।