Categories: ବାଣିଜ୍ୟ

ସଙ୍କଟ ସ୍ଥିତିରେ ଅର୍ଥନୀତି: ମନମୋହନ ସିଂ

ନୂଆଦିଲ୍ଲୀ,୧୮-୧୦: ଦେଶର ପ୍ରତି ଅର୍ଥନୈତିକ ଅସୁବିଧା ଲାଗି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଉପା ସରକାରଙ୍କୁ ନିନ୍ଦା କରିବା ବନ୍ଦ କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର କହିଛନ୍ତି। ଦେଶରେ ବ୍ୟାଙ୍କିଙ୍ଗ କ୍ଷେତ୍ର ସମସ୍ୟା ଲାଗି ମନମୋହନ ସିଂ ସମୟର ସରକାର ଏବଂ ତତ୍କାଳିନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାୟୀ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଥିଲେ। ଏହାର ପ୍ରତିକ୍ରିୟାରେ ମନମୋହନ କହିଛନ୍ତି, ଦେଶର ବିଭିନ୍ନ ସମସ୍ୟା ସମାଧାନ କରିବା ଲାଗି ୫ ବର୍ଷ ସରକାରଙ୍କ ଲାଗି ପର୍ଯ୍ୟାପ୍ତ ସମୟ। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏକ ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି, ଯଦି କୌଣସି କ୍ଷେତ୍ରରେ ଅସୁବିଧା ରହିଛି ତାକୁ ଠିକ୍‌ କରିବା ଲାଗି ସାଢେ ପାଞ୍ଚ ବର୍ଷ କିଛି କମ୍‌ ସମୟ ନୁହେଁ। ଏହାକୁ ଛାଡି କେବଳ ନିନ୍ଦା କରିବାରେ ସରକାର ଲାଗି ରହିଛନ୍ତି। ନିନ୍ଦା ପରିବର୍ତ୍ତେ ସମସ୍ୟା ସମାଧାନକୁ ସରକାର ଧ୍ୟାନରେ ରଖିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଅଭିବୃଦ୍ଧି ବର୍ଷକୁ ବର୍ଷ ହ୍ରାସ ହେଉଥିବାରୁ ଧାର୍ଯ୍ୟ ସମୟ ମଧ୍ୟରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ହେବ ହେବା ନେଇ ସେ ସନ୍ଦିହାନ ଥିବା କହିଛନ୍ତି। ଅର୍ଥନୀତି ବର୍ତ୍ତମାନ ଘୋର ସଙ୍କଟ ସମୟ ଦେଇ ଗତି କରୁଛି। ଅର୍ଥ ବ୍ୟବସ୍ଥା ୮ରୁ ୧୦% ଅଭିବୃଦ୍ଧି ଆବଶ୍ୟକ କରୁଛି। ଏଭଳି ସ୍ଥିତିରେ ସରକାର ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମନମୋହନ କହିଛନ୍ତି।

Share