ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’ ସଇତାନ ସାଜିଛନ୍ତି। ସ୍ବାମୀଙ୍କ ସହ ଝଗଡା ପରେ ରାଗ ସୁଝାଇବା ପାଇଁ ନିଜର ଦୁଇ ଜଣ ନିଷ୍ପାପ ଶିଶୁଙ୍କୁ ପନିକି ଏବଂ ଟାଙ୍ଗିଆରେ ହାଣି ହତ୍ୟା କରିଛି।
ଘଟଣା ଅନୁସାରେ, ଅଭିଯୁକ୍ତା ରଞ୍ଜିତା ଓରାମ ନିଜର ସ୍ବାମୀ ସୀତାରାମ ଓରାମଙ୍କ ସହିତ ଝାରସୁଗୁଡା ବିମାନ ବନ୍ଦର ଥାନା ନିକଟରେ ଥିବା ଓରାମପଡାରେ ରହି ଆସୁଥିଲେ। ରଞ୍ଜିତା ସବୁବେଳେ ସ୍ବାମୀ ସୀତାରାମଙ୍କୁ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ ଏବଂ ନିଜ ସହିତ ଦୁଇ ଶିଶୁଙ୍କୁ ମାରିଦେବା ପାଇଁ ସ୍ବାମୀଙ୍କୁ ଧମକ ଦେଉଥିଲେ। ଘଟଣାର ପୂର୍ବଦିନ ରଞ୍ଜିତା ଏବଂ ସୀତାରାମ ଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା। ଶନିବାର ରାତି ପ୍ରାୟ ୧୧.୩୦ ସମୟରେ ରଞ୍ଜିତା ଶୌଚ ଯିବାପାଇଁ ସ୍ବାମୀ ସୀତାରାମଙ୍କୁ ଉଠାଇଥିଲା। ସୀତାରାମ ଘରର କବାଟ ଖୋଲି ବାହାରକୁ ବାହାରି ପଡିବା ପରେ ରଞ୍ଜିତା ପଛପଟୁ କବାଟ ବନ୍ଦ କରିଦେଇଥିଲେ। ଭିତରେ ଥିବା ପନିକି ଏବଂ ଟାଙ୍ଗିଆରେ ୧୦ ବର୍ଷର ଝିଅ ଜିଜ୍ଞାସା ଓରାମ ଏବଂ ୫ ବର୍ଷର ପୁଅ ବିହାଂଶୁ ଓରାମଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ ଏବଂ ନିଜକୁ ମଧ୍ୟ କ୍ଷତାକ୍ତ କରିଥିଲେ।
ଏପଟେ ସ୍ବାମୀ ସୀତାରାମ ଯେତେ ଡାକିଲେ ମଧ୍ୟ ରଞ୍ଜିତା କବାଟ ନ ଖୋଲିବାରୁ ନିଜ ବଡଭାଇଙ୍କୁ ଡାକି ପଛପଟ ଝରକାକୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେତେବେଳେକୁ ଝିଅ ଜିଂଜ୍ଞାସା ମୃତ୍ୟୁବରଣ ସାରିଥିବାବେଳେ ପୁଅ ବିହାଂଶୁ ମଧ୍ୟ ଅତ୍ୟନ୍ତ ଗୁରୁତର ହୋଇ ସାରିଥିଲେ। ସୀତାରାମଙ୍କ ବଡ ଭାଇ ପୋଲିସକୁ ଖବର ଦେଲା ପରେ ପୋଲିସ ସହାୟତାରେ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିବାବେଳେ ଅଭିଯୁକ୍ତା ରଞ୍ଜିତା ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକନ୍ଙ୍କ କହିବା ଅନୁଯାୟୀ, ସ୍ବାମୀ ସ୍ତ୍ରୀଙ୍କ କଳି ଏବଂ ସ୍ତ୍ରୀର ସ୍ବାମୀ ଉପରେ ସନ୍ଦେହ ହିଁ ଘଟଣାସ୍ର ମୁଖ୍ୟ କାରଣ। ଅନ୍ୟପଟେ ଝାରସୁଗୁଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ସହିତ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଚଳାଇଛନ୍ତି।
Dharitri – Odisha’s No.1 Odia Daily

