ସଂକ୍ରମିତଙ୍କୁ ଶୋଷୁଛି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୩୧।୫: ମହାମାରୀ କରୋନା ଲୋକଙ୍କ ନିଦ ହଜାଇ ଦେଇଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ସରକାରୀ ସୁବିଧା ନ ଥିବାବେଳେ ରୋଗୀମାନେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ପ୍ରଚୁର ଅର୍ଥ ଦାବି କରାଯାଉଛି। ସରକାର ଏଭଳି ରୋଗୀଙ୍କ ଚିକିତ୍ସା ଲାଗି ନିର୍ଦ୍ଦିଷ୍ଟ କୌଣସି ଦର ଠିକ୍‌ କରି ନ ଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ଏହା ପୁଷମାସ ସଦୃଶ ହୋଇଛି। ଫଳରେ ଆକ୍ରାନ୍ତ ଓ ସେମାନଙ୍କ ପରିବାର ଶୋଷଣର ଶିକାର ହେଉଛନ୍ତି। ଏଭଳି ସ୍ଥିତିକୁ ନେଇ ‘ଲୋକାଲ୍‌ସର୍କଲ୍ସ୍‌’ ନାମକ ଏକ କମ୍ୟୁନିଟି ସୋସିଆଲ ମିଡିଆରେ ଏନେଇ ସର୍ଭେ କରାଯାଇଛି। ରିପୋର୍ଟ ମୁତାବକ ୫୭% ଲୋକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ପ୍ରଚୁର ଅର୍ଥ ନିଆଯାଉଥିବା ମତ ଦେଇଛନ୍ତି।
ସର୍ଭେରେ ୫ଟି ପ୍ରଶ୍ନ ପଚରାଯାଇ ୪୦ ହଜାର ଲୋକଙ୍କ ମତାମତ ନିଆଯାଇଥିଲା। ୬୧% ବ୍ୟକ୍ତି କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଘର ଭଡ଼ାଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ସରକାର ନିର୍ଦ୍ଧାରଣ କରିବା ଉଚିତ ବୋଲି ମତ ଦେଇଥିଲେ। ହସ୍ପିଟାଲରେ ଦୁର୍ବଳ ଭିତ୍ତିଭୂମି, ଜନଗହଳିପୂର୍ଣ୍ଣ ପରିବେଶ, ସଂକ୍ରମଣ ରୋକିବାର ପ୍ରଣାଳୀ ଠିକ୍‌ ନ ଥିବାରୁ ପୁଣି ମହାମାରୀ ଫେରିବାର ଆଶଙ୍କା ରହିଥିବା ମତ ଦେଇଛନ୍ତି ୪୬% ଲୋକ। ଦେଶରେ କରୋନା ଚିକିତ୍ସା ଲାଗି ମେଡିକାଲ ଭିତ୍ତିଭୂମିର ଅଭାବ ରହିଥିବା ୩୨% ମତ ଦେଇଛନ୍ତି। କରୋନା ଚିକିତ୍ସା ଲାଗି ୩୨% ଘରୋଇ ହସ୍ପିଟାଲକୁ ଗୁରୁତ୍ୱ ଦେଇଥିବା ବେଳେ ୨୨% ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯିବାକୁ ଠିକ୍‌ ଭାବିଛନ୍ତି।
ଘରୋଇ ହସ୍ପିଟାଲରେ ମାତ୍ରାଧିକ ପରୀକ୍ଷା କରାଯିବା, କରୋନା ଚିକିତ୍ସା ସମ୍ପର୍କିତ ପ୍ରୋଟୋକଲ ସମ୍ପର୍କରେ ଧାରଣା କମ୍‌ ଥିବା, ଘରଭଡ଼ା ଅଧିକ ନେବା ପରିସ୍ଥିତିକୁ ଉତ୍କଟ କରିଛି। ଏମିତିକି ଛୋଟ ସହରଗୁଡ଼ିକରେ ଏବେ ମଧ୍ୟ ଘରୋଇ ହସ୍ପିଟାଲ ଶୋଷଣ ଜାରି ରଖିଥିବା ରିପୋର୍ଟରେ ଦର୍ଶାଯାଇଛି। ମହାମାରୀ କରୋନା ଅର୍ଥନୀତିକୁ ବିଗାଡ଼ି ଦେଇଥିବା ବେଳେ ବ୍ୟୟବହୁଳ କରୋନା ଚିକିତ୍ସା ଲୋକଙ୍କ ପାଇଁ କାଳ ସାଜିଛି। ଏଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାର କରୋନା ରୋଗୀଙ୍କୁ ଚିକିତ୍ସା ଲାଗି ନିର୍ର୍ଦ୍ଦିିଷ୍ଟ ଦର ନିର୍ଦ୍ଧାରଣ କରିବା ଲାଗି ମତ ପ୍ରକାଶ ପାଇଛି।

Share