ଷ୍ଟାଣ୍ଡ୍‌ପୋଷ୍ଟରୁ ଅନବରତ ବୋହିଚାଲିଛି ପାଣି: ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନାହିଁ

ଆନନ୍ଦପୁର,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟର ମାତ୍ର ୬ ଶହ ମିଟର ଦୂର ବ୍ଲକ କାର୍ଯ୍ୟାଳୟ ଗେଟ୍‌କୁ ଲାଗି ରହିଥିବା ପାନୀୟ ଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟର ମୁହଁ ଖୋଲା ରହିଥିବାରୁ ଅନବରତ ପାଣି ବୋହି ଚାଲିଛି। ଉକ୍ତ ଷ୍ଟାଣ୍ଡପୋଷ୍ଟରୁ ପାନୀୟ ଜଳ ଅନବରତ ବୋହି ନଷ୍ଟ ହେବାକୁ ବସିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ଦୃଷ୍ଟି ନ ଥିବା ଭଳି ମନେ ହେଉଛି। ଗ୍ରୀଷ୍ମର ଆଗମନରେ କେତେକ ସ୍ଥାନରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ବେଳେ ଏଠାରେ ପାନୀୟ ଜଳର ଅପବ୍ୟବହାର ବିଭାଗର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନା ଭାଇରସ୍‌ ନେଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଥିବାବେଳେ ଏଠାରେ ଜଳ ଅନବରତ ବୋହି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଦାବି କରିଛନ୍ତି।