Categories: ବାଣିଜ୍ୟ

ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ ମାତ୍ରାରେ ଅର୍ଥ ଯୋଗାଡ କରିବା ଲାଗି ସରକାର ବଦ୍ଧ ପରିକର। ଏହାର ଅଂଶ ସ୍ବରୂପ ଏଲ୍‌ଆଇସିର ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଆସିବ। ଏହା ଆସିବା ପରେ ମାର୍କେଟ କ୍ୟାପିଟାଲାଇଜେଶନ ହିସାବରେ ଏହା ଟିସିଏସ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ପଛରେ ପକାଇ ଦେଶର ସର୍ବବୃହତ ତାଲିକାଭୁକ୍ତ କମ୍ପାନୀ ହେବ।
ପ୍ରାପ୍ତ ସୂଚନାନୁଯାୟୀ, ଏହି ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସରକାରଙ୍କ ଉଚ୍ଚ ଅଧିକାରୀମାନେ ଏହାକୁ ନେଇ ବିଚାର ଆଲୋଚନା ଚଳାଇଛନ୍ତି। ତେବେ ଆଇପିଓ ଆଣିବା ପୂର୍ବରୁ ସରକାରଙ୍କୁ ଏଥିପାଇଁ ପାର୍ଲାମେଣ୍ଟର ଅନୁମୋଦନ ନେବାକୁ ହେବ। କାରଣ ଏଲ୍‌ଆଇସି ଆଇନ ୧୯୫୬ରେ ସଂଶୋଧନ ନ ହେବା ପର୍ଯ୍ୟନ୍ତ କମ୍ପାନୀର ଆଇପିଓ ବଜାରକୁ ଆସିପାରିବ ନାହିଁ। କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରାୟ ୪୮,୪୩୬ କୋଟି ଟଙ୍କାର ଶୁଦ୍ଧ ଲାଭ କରିଛି। ମୋଟ ୩୧.୧୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କମ୍ପାନୀ ପରିଚାଳନାରେ ରହିଛି। ୨୦୧୮-୧୯ରେ କମ୍ପାନୀ ଇକ୍ୟୁଟି ନିବେଶରୁ ୨୩,୬୨୧ କୋଟି ଟଙ୍କା ଲାଭ କରିଛି। ୨୦୧୭-୧୮ରେ ଏହା ୨୫,୬୪୬ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଏଲ୍‌ଆଇସି ଷ୍ଟକ୍‌ ବଜାରରେ ୬୮,୬୨୧ କୋଟି ଟଙ୍କା ନିବେଶ କରିଛି। ଏହାଛଡ଼ା କମ୍ପାନୀ ୨୦୧୮ ମାର୍ଚ୍ଚ ସୁଦ୍ଧା ଡିବେଞ୍ଚର ଓ ବଣ୍ଡ୍‌ରେ ୪,୩୪,୯୫୯ କୋଟି ଟଙ୍କା ଟଙ୍କା ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ୩,୭୬,୦୯୭ କୋଟି ଟଙ୍କା ନିବେଶ କରିଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଆଇସିଆଇସିଆଇ ଲୋମ୍ବାର୍ଡ, ଜେନେରାଲ ଇନ୍‌ସ୍ୟୁରାନ୍ସ, ଏସ୍‌ବିଆଇ ଇନ୍‌ସ୍ୟୁରାନ୍ସ, ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏବଂ ଏଚ୍‌ଡିଏଫ୍‌ସି ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଇତିମଧ୍ୟରେ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ହୋଇସାରିଛି। ଜୁନ୍‌ ଡାଟା ଅନୁଯାୟୀ ଏଲ୍‌ଆଇସିର ପ୍ରିମିୟମ ଆଦାୟ ଦୁଇଗୁଣା ବଢ଼ି ୨୬,୦୩୦.୧୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୧୧,୧୬୭.୮୨ କୋଟି ଟଙ୍କା ଥିଲା।

Share