Categories: ମେଟ୍ରୋ

ଶ୍ରୀଲିଙ୍ଗରାଜଙ୍କ ଜମି ବିକ୍ରୟ ମସୁଧା : ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ପୂଜାପଣ୍ଡା ନିଯୋଗ

ପୁରୁଣା ଭୁବନେଶ୍ୱର,୨।୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନେକ ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ସେଗୁଡ଼ିକ ଜବରଦଖଲମୁକ୍ତ କରିବାକୁ ମନ୍ଦିର ପ୍ରଶାସନ ବହୁ ବିଳମ୍ବରେ ଅଣ୍ଟା ଭିଡ଼ିଛି। ହେଲେ ଏଥିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁ ସେତେଟା ସଫଳତା ମିଳିପାରୁନାହିଁ। ନିକଟରେ ନୂଆଗଁା ମୌଜା ଗଙ୍ଗୁଆ ବ୍ରିଜ୍‌କୁ ଲାଗି ରହିଥିବା ଶ୍ରୀଲିଙ୍ଗରାଜଙ୍କ ଏ.୨.୬୩୦ ଡିିସିମିଲର ଏକ ବେ-ବନ୍ଦୋବସ୍ତ ଚକ ଜମିରେ ଜଣେ ବ୍ୟକ୍ତି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଦେଖାଦେଇଥିଲା। ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମନ୍ଦିର ପ୍ରଶାସନର ନିଦ ଭାଙ୍ଗିଥିଲା। ତତ୍‌କାଳ ପ୍ରଶାସନ ପକ୍ଷରୁ ଏକ କ୍ରିମିନାଲ ମିସ୍‌ କେସ୍‌ ନଂ.୧୧୬୨/୧୯ ସିଆରପିସି ଧାରା ୧୪୪ରେ ବେଆଇନ ନିର୍ମାଣ ଉପରେ ରହିତାଦେଶ ଜାରି ହୋଇଥିଲା। ମାତ୍ର ଏହି ଘଟଣା ନେଇ କେତେଜଣ ବ୍ୟକ୍ତି ବିଶେଷ ଠାକୁରଙ୍କ କୋଟି କୋଟି ଟଙ୍କାର ଜମିକୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ବିକ୍ରୟ କରିବା ନେଇ ମସୁଧା ଚଳାଉଥିବା ଖବର ମିଳିଥିଲା। ଗୁରୁବାର ଏହି ଘଟଣାରେ ଜନପ୍ରତିନିଧିମାନଙ୍କର ମଧ୍ୟ ମଧ୍ୟସ୍ଥତା ରହିଥିଲା। ଠାକୁରଙ୍କ ଏଭଳି ବହୁମୂଲ୍ୟ ସମ୍ପତ୍ତିକୁ ଶାଗ ମାଛ ଦରରେ ବିକ୍ରି ନ କରି ତାହାକୁ ଠାକୁରଙ୍କ ତହବିଲକୁ ଫେରାଇ ଆଣିବାକୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ଗୁରୁବାର ପୃଥକ ପୃଥକ ଭାବେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଚିଠି ପଠାଯାଇଛି। ସେହିଭଳି ଭବିଷ୍ୟତରେ ଠାକୁରଙ୍କ ନୀତି ବିଭ୍ରାଟ ପାଇଁ ନିଯୋଗ ଦାୟୀ ରହିବା ନାହିଁ ବୋଲି ସ୍ବତନ୍ତ୍ର ପତ୍ର ମନ୍ଦିର ପ୍ରଶାସନ, ଦେବୋତ୍ତ୍ୱର କମିଶନର ଏବଂ ଏଡିଏମ୍‌ଙ୍କ ନିକଟକୁ ପ୍ରେରଣ କରାଯାଇଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି। ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ସେ କହିଲେ, ମାମଲାଟି ସମ୍ପୂର୍ଣ୍ଣ କୋର୍ଟଙ୍କ ବିଚାରାଧୀନ ଅଛି। ତେଣୁ ଏଥିରେ କୌଣସି ପ୍ରତିକ୍ରିୟା ଦିଆଯାଇପାରିବ ନାହିଁ। ସୂଚନାଥାଉ କି ଜମି ଉପରେ ୬୦ ଦିନ ଲାଗି ୧୪୪ ଧାରାରେ ରହିତାଦେଶ ବଳବତ୍ତର ରହିଛି।