Categories: ଜାତୀୟ

ଶ୍ରୀନଗରରୁ ଦିଲ୍ଲୀ ବିମାନ ଟିକେଟ ଆକାଶ ଛୁଆଁ: ବଢ଼ିଲା ୫ ଗୁଣା

ଶ୍ରୀନଗର,୩।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ ଦେଖି ବିମାନ ପରିବହନ କମ୍ପାନୀଗୁଡ଼ିକ ଫାଇଦା ନେବାର ଉଦ୍ୟମ କରିଛନ୍ତି। ଶ୍ରୀନଗରରୁ ଦିଲ୍ଲୀ ଟିକେଟ ୫ ଗୁଣା ବଢ଼ିଯାଇଛି। ଶୁକ୍ରବାର ଏହା ୪ ହଜାର ଟଙ୍କା ଥିବା ବେଳେ ଶନିବାର ଟିକେଟ ଦାମ ୮ ହଜାର ହୋଇଛି। ସେହିପରି ରବିବାର ଆଗୁଆ ବୁକିଂରେ ଏହାର ଦାମ ୨୦ ହଜାର ହୋଇଥିବା କୁହାଯାଉଛି। ଗୋ ଏୟାର ବିମାନ କମ୍ପାନୀର ଟିକେଟ ରବିବାର ୧୧ଟା ୧୦ ବିମାନ ପାଇଁ ୧୮,୨୮୯ ଟଙ୍କାରେ ପହଞ୍ଚିଛି। ସେହିପରି ବିସ୍ତାରା କମ୍ପାନୀର ଅପରାହ୍ନ ଗୋଟାଏ ୪୫ ବିମାନ ଲାଗି ଏହା ୧୭, ୩୦୬ ଟଙ୍କା ରହିଛି। ସେହିପରି ସ୍ପାଇସ୍‌ ଜେଟ୍‌ ଏବଂ ଏୟାର ଏସିଆ କମ୍ପାନୀର ଟିକେଟ ୧୦ ହଜାର ଟଙ୍କାରୁ ଅଧିକ ରହିଛି।

Share