Categories: ବାଣିଜ୍ୟ

ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୪୮ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୨୮।୫: ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ଲାଗି ରେଳ ମନ୍ତ୍ରଣାଳୟ ବୁଧବାର ସୁଦ୍ଧା ୩୫ଶହ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିଭିନ୍ନ ରାଜ୍ୟରୁ ୪୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ମାର୍ଚ୍ଚ ୨୫ ପରଠାରୁ ଏହି ଶ୍ରମିକମାନେ ଲକ୍‌ଡାଉନ କାରଣରୁ ସେମାନଙ୍କ ଘରକୁ ଫେରିପାରି ନ ଥିଲେ। ଏହି ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରେଳ ମନ୍ତ୍ରଣାଳୟ ମେ ୧ରୁ ୨୭ମଧ୍ୟରେ ଏହି ସୁବିଧା ପ୍ରଦାନ କରିଛି। ଏହି ସମସ୍ତ ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବହନ କରିବେ। ପ୍ରତି ଟ୍ରେନ୍‌ରେ ୧୨ଶହ ଜଣ ଯାତ୍ରୀ ଏବଂ ୨୪ଟି ବଗି ରହିଛି। ପ୍ରତି ବଗିରେ ୭୨ସିଟ୍‌ ଓ ୫୪ ଜଣ ଯାତ୍ରା କରୁଛନ୍ତି। ଆଇଆର୍‌ସିଟିସି ପକ୍ଷରୁ ଏହି ଶ୍ରମିକଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ କରାଯାଉଛି। ସରକାରଙ୍କ କୋଭିଡ୍‌-୧୯ କଟକଣା ଓ ନିୟମ ଅନୁସାରେ ପ୍ରବାସୀ ଶ୍ରମିକମାନେ ଏହି ସବୁ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି।

Share