ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ଅଭିଯୋଗ, ଥାନାରେ ଏତଲା

ବଅଁରପାଳ,୩ା୬(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ହରିଜନସାହିର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ହୋଇଥିବା ନେଇ ବୁଧବାର ନାଲ୍‌କୋ ଥାନାରେ ଅଭିଯୋଗ ହୋଇଛି। ସେମାନେ ଅଭିଯୋଗ କରିଛନ୍ତି, ଗ୍ରାମର ଜଣେ ବ୍ୟକ୍ତି ଗତ ୨୮ ତାରିଖରେ ସାହିକୁ ଆସିଥିଲେ। ଯେଉଁମାନଙ୍କର ଜବ୍‌କାର୍ଡ ରହିଛି ସେମାନଙ୍କ ପାଇଁ କାମ ଆସିଛି। ଯେଉଁମାନଙ୍କର କାର୍ଡ ନାହିଁ ସେମାନେ ମଧ୍ୟ କାମ କରିପାରିବେ। ଦିନକୁ ହାଜିରା ହିସାବରେ ୨୦୮ଟଙ୍କା ପାରିଶ୍ରମିକ ମିଳିବ।
ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି କାମ ହେବ ବୋଲି ସଂପୃକ୍ତ ବ୍ୟକ୍ତି ଜଣକ ସମସ୍ତ ଜବ୍‌କାର୍ଡଧାରୀଙ୍କୁ କହିଥିଲେ। ତାଙ୍କ କଥାରେ ରାଜି ହୋଇ ବହୁ ଶ୍ରମିକ ୨୯ ତାରିଖରୁ ୩ ଜୁନ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ମାତ୍ର ଆଜି ସେମାନେ କାମ କରୁଥିବା ବେଳେ ଏହି ବ୍ୟକ୍ତି ଜଣକ ସେମାନଙ୍କ ପାଖକୁ ଆସି ମଜୁରୀ ହିସାବରେ ପାରିଶ୍ରମିକ ଦେଇ ହେବ ନାହିଁ କହିଥିଲେ। ଠିକା ହିସାବରେ ଟଙ୍କା ଦିଆଯିବ। ତେଣୁ ଜବ୍‌କାର୍ଡଧାରୀ ଶ୍ରମିକମାନେ ଏହାକୁ ବିରୋଧ କରିଥିଲେ। ତେଣୁ ପ୍ରାପ୍ୟ ପ୍ରଦାନରେ ଠକେଇ ହୋଇଥିବା ନେଇ ସେମାନେ ପ୍ରକାଶ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି। ବହୁ ଶ୍ରମିକ ଥାନାକୁ ଆସି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।