ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମାତ୍ର କର୍ଡାପାଳ ଗ୍ରାମର ଶ୍ରମିକ ଦଲାଲ କ୍ଷୀରୋଦ ଧରୁଆ(୪୨)ଫେରାର ଥିଲେ। କ୍ଷୀରୋଦ ଘରକୁ ଫେରିଥିବା ସୂଚନା ପାଇ ରିଆମାଳ ଥାନା ପୋଲିସ ତାଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।
କ୍ଷୀରୋଦ ତିଲେଇବଣି ବ୍ଲକ କେନ୍ଦେଇଜୁରୀ ଗ୍ରାମର ଯୋଗେଶ୍ୱର ରଣା, ବାବୁଲୁ ଶେଖ, ଅଜିତ କାଲୋ, ରାଜକୁମାର ଡୁଙ୍ଗଡୁଙ୍ଗ, ରବୀନ୍ଦ୍ର ମାଝି, ସୁଶାନ୍ତ ପ୍ରଧାନ, ଲମ୍ବୋଦର କିଷାନ, ନରେନ୍ଦ୍ର ନାୟକ ଓ ତୁଲାରାମ ନାୟକ ଓ ୨ ନାବାଳକ ସମେତ ୧୧ ଜଣଙ୍କୁ କାମ କରିବାକୁ ଭୁବନେଶ୍ୱର ଡାକି ନେଇଥିଲେ। ମାତ୍ର ସେଠାରେ ପହଞ୍ଚତ୍ବା ପରେ କ୍ଷୀରୋଦ ସେମାନଙ୍କୁ ଅନ୍ୟଜଣେ ଦଲଲାଙ୍କୁ ହସ୍ତାନ୍ତର କରିଥିଲେ। ସମ୍ପୃକ୍ତ ଦଲାଲ ସମସ୍ତଙ୍କୁ ବିହାରର ଗୟା ଜିଲାରେ ଚାଲିଥିବା ରେଲୱେ କାର୍ଯ୍ୟରେ ନିୟୋଜିତ କରିଥିଲେ। ସେଠାରେ ଶ୍ରମିକମାନେ ଅସୁସ୍ଥ ହେଲେ ମଧ୍ୟ ସେମାନଙ୍କୁ ଛୁଟି ମିଳୁ ନ ଥିଲା। ଔଷଧ ଖାଇ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏହାର ପ୍ରତିବାଦ କଲେ ସେମାନଙ୍କୁ ମାଡର ଭୟ ଦେଖାଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏ ସମ୍ପର୍କରେ ଶ୍ରମିକମାନେ ଫୋନ୍‌ ଯୋଗେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପାଳକୁଦର ଗ୍ରାମର ବିପିନ ଡୁଙ୍ଗଡୁଙ୍ଗ ନାମକ ଜଣେ ବ୍ୟକ୍ତି ୨୦୧୯ ଜାନୁୟାରୀ ୨୬ରେ ଏ ସମ୍ପର୍କରେ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ରିଆମାଳ ଥାନା ପୋଲିସ ଏକ ମାମଲା(ନଂ. ୧୩/୧୯) ଋୁଜୁ କରି ସେହି ଶ୍ରମିକମାନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।