ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଉଛି ପ୍ରଶାସନ: ୨ ଦିନରେ ଗଲେଣି ୧୩୦

ଜୟପୁର,୬ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ବାହାର ରାଜ୍ୟର ଫସି ରହିଥିବା ୭୨ ଜଣ ଏବଂ ରାଜ୍ୟ ଭିତରର ୫୮ଜଣଙ୍କୁ ଗତ ଦୁଇଦିନ ମଧ୍ୟରେ ଜିଲା ପ୍ରଶାସନ ସେମାନଙ୍କ ଅଞ୍ଚଳକୁ ବସ୍‌ ଏବଂ ବୋଲେରୋ ଯୋଗେ ପଠାଇଛି। ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନକୁ ଜିଲାରୁ ୩୯, ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡକୁ ୩୧ ଏବଂ ଛତିଶଗଡ଼କୁ ୨ଜଣ ଏପରି ମୋଟ ୭୨ଜଣଙ୍କୁ ବସ୍‌ ଯୋଗେ ପଠାଯାଇଛି। ସେହିପରି ନବରଙ୍ଗପୁର ଜିଲାକୁ ୨୭ଜଣ, କଳାହାଣ୍ଡିକୁ ୯, ଗଜପତିକୁ ୧୭ ଏବଂ ଗଞ୍ଜାମକୁ ୫ ଜଣ ଏପରି ମୋଟ ୫୮ ଜଣଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଯାଇଛି। ରାଜସ୍ଥାନର ବାସିନ୍ଦାମାନେ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟରତ ଥିଲେ। ନିଜ ରାଜ୍ୟକୁ ଫେରୁଥିବା ବେଳେ ଲକ୍‌ଡାଉନ ଯୋଗୁ ପଟ୍ଟାଙ୍ଗୀ ଆଶ୍ରୟସ୍ଥଳରେ ରହିଥିଲେ। ସେହିପରି ବାହାର ଜିଲାର ବାସିନ୍ଦା ଜୟପୁର କ୍ୱାରାଣ୍ଟାଇନ କେନ୍ଦ୍ରରେ ଗତ ୨୨ ଦିନ ରହିଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀଙ୍କ ସହ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବାହାର ରାଜ୍ୟ ଓ ବିଭିନ୍ନ ଜିଲାର ବାସିନ୍ଦାଙ୍କୁ ପଠାଯାଇଛି।