Categories: ବାଣିଜ୍ୟ

ଶିଳ୍ପ ଜଗତର ଆଶା;୨୦୨୦ରେ ଅର୍ଥ ବ୍ୟବସ୍ଥାରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୩୦-୧୨: ୨୦୨୦ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିପାରେ। ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପ ସହ ବିଶ୍ୱ ସ୍ତରର ବାଣିଜ୍ୟ ସମସ୍ୟା ସମାଧାନ ହେବାର ଆଶା ରହିଥିବାରୁ ଦେଶର ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି ବୋଲି ଶିଳ୍ପ ସଂଘ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ଶନିବାର କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ବିତ୍ତୀୟ ନୀତି ଅର୍ଥ ବ୍ୟବସ୍ଥା ଉପରେ ଭଲ ପ୍ରଭାବ ପକାଇବ ବୋଲି ଏହା ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ହେବା ସହ ଏକ ନୂଆ ବର୍ଷର ଆରମ୍ଭ ହେଉଛି। ବଜାରରେ ରହିଥିବା ମାନ୍ଦାବସ୍ଥାର ପ୍ରଭାବ କମ୍‌ ହେବାରେ ଲାଗିଛି। ଭାରତ ନିରନ୍ତର ଭାବେ ଏହି ଅବସ୍ଥାରୁ ବାହାରିବାକୁ ଲାଗି ପ୍ରୟାସ ଜାରି ରଖିବା ସହ ଉନ୍ନତ ସ୍ଥିତି ଆଡକୁ ଗତି କରୁଥିବା ଶିଳ୍ପ ସଂଘ ମତ ରହିଛି। ମାନୁଫାକଚରିଂ ଏବଂ ସର୍ଭିସ କ୍ଷେତ୍ର ଧୀରେ ଧୀରେ ମାନ୍ଦାବସ୍ଥା କବଳରୁ ମୁକ୍ତ ହେଉଛି ବୋଲି ସିଆଇଆଇ ସଭାପତି ବିକ୍ରମ କିର୍ଲୋସ୍କାର ମତ ଦେଇଛନ୍ତି। ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି କମିଲେ ମଧ୍ୟ ତା ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସିବାର ସମ୍ଭାବନା ଦେଖାଯାଉଥିବା ସେ ମତ ଦେଇଛନ୍ତି।
ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଏବଂ ଇନସଲଭେନ୍ସି ଆଇନ ଦ୍ୱାରା ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଶିଳ୍ପ ଜଗତ ଆଶାବାଦୀ ରହିଛି। ୨୦୧୯ ବର୍ଷକୁ ବିତ୍ତ କ୍ଷେତ୍ରର ସିଷ୍ଟମ ସ୍ବଚ୍ଛତା ଭବେ ବିଚାର କରାଯାଇ ପାରିବ ବୋଲି ଶିଳ୍ପସଂଘ କହିଛି। ସ୍ବଳ୍ପ ଏବଂ ମଧ୍ୟମ ସମୟ ଲାଗି ଅର୍ଥ ବ୍ୟବସ୍ଥା ଉପରେ ଏହା ପ୍ରଭାବ ପକାଇଲେ ମଧ୍ୟ ଏହାର ସୁଫଳ ବଜାରକୁ ମିଳିବା ନେଇ ସଂଘ ଆଶାବାଦୀ ରହିଛି। ଜିଏସ୍‌ଟି ହାର ହ୍ରାସ ଏବଂ ଏହାର ସରଳୀକରଣ ପ୍ରସଙ୍ଗକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ସଂଘ ଏହାର ଦାବିରେ କହିଛି। ସେହିଭଳି ଏଥିରେ ଅନୁପାଳନ ବ୍ୟବସ୍ଥାକୁ କଡାକଡି କରିବା ଉପରେ ବିଚାର କରିବାକୁ ପ୍ରସ୍ତାବ ରହିଛି।

Share