ଶିକ୍ଷିତ ଯୁବତୀଙ୍କୁ ପାଠପଢ଼ା ଦାୟିତ୍ୱ ଦେଲେ ଗ୍ରାମବାସୀ

ବାଲିଆ,୨୩ା୮(ସ୍ବ.ପ୍ର.):ବିରିଡି ବ୍ଲକ ବତିମିରା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ରାଜକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଏହାପରେ ଚଳିତ ଶିକ୍ଷା ବର୍ଷରୁ ଶିକ୍ଷକମାନଙ୍କୁ ଉକ୍ତ ବିଦ୍ୟାଳୟରୁ ଅପସାରଣ କରି ନିଆଯାଇଛି। ଅପରପକ୍ଷେ ଗ୍ରାମବାସୀ ଓ ଅଭିଭାବକଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସେମାନେ ପିଲାମାନଙ୍କୁ ଦୂରରେ ଥିବା ରାଜକୃଷ୍ଣ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ଜିଦ୍‌ଧରି ବସିଛନ୍ତି। ଏନେଇ ଗ୍ରାମବାସୀ ଏକତ୍ରିତ ହୋଇ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେହି ଗାଁର ୨ ଜଣ ଶିକ୍ଷିତ ଯୁବତୀଙ୍କୁ ପାଠପଢା ଦାୟିତ୍ୱ ଦେଇଛନ୍ତି। ଏବେ ସ୍କୁଲ ବାରଣ୍ଡାରେ ପାଠପଢା ଚାଲିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ବତୀମିରା ପ୍ରାଥମିକ ବିଦ୍ୟାଳୟରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ। ମାତ୍ର ୨୦୧୯ -୨୦ ଶିକ୍ଷା ବର୍ଷ ଆଧାରରେ ଏହି ବିଦ୍ୟାଳୟରେ କମ୍‌ ପିଲା ଥିବା ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟକୁ ଅନ୍ୟତ୍ର ମିଶ୍ରଣ କରିଦିଆଯାଇଛି। ଅପରପକ୍ଷେ ଯେଉଁ ବିଦ୍ୟାଳୟରେ ଏହାକୁ ମିଶ୍ରଣ କରାଯାଇଛି ତାହା ଅଧିକ ବାଟ ହୋଇଥିବାବେଳେ ରାସ୍ତା ପିଲାଙ୍କ ପାଇଁ ସୁରକ୍ଷିତ ନୁହେଁ। କାରଣ ରାଜକୃଷ୍ଣ ବିଦ୍ୟାଳୟକୁ ଯିବା ରାସ୍ତାରେ ଅନେକ ଗାଡି ମୋଟର ଯାତାୟାତ କରେ। ଏପରି କି ରାସ୍ତା କଡ଼ରେ କେନାଲ ମଧ୍ୟ ରହିଛି। ପାଠପଢ଼ିବାକୁ ଏତେଦୂରକୁ ପିଲାମାନଙ୍କୁ ପଠାଇବା ଅସମ୍ଭବ ବୋଲି ବତୀମିରା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ପାଣି, ଚିତ୍ତରଞ୍ଜନ ଲେଙ୍କା, ଈଶ୍ୱର ସେଠୀ, ନିରଞ୍ଜନ ପାଣି, କ୍ଷୀରୋଦ ମହାନ୍ତି, ରୋହିତ ମହାପାତ୍ର, ମନୋରଞ୍ଜନ ମହାନ୍ତି, ପ୍ରତାପ ଲେଙ୍କା, ବୀରବର ପାଣି, ଜଗନ୍ନାଥ ବେହେରା, ପ୍ରଶାନ୍ତ ପାଣି, ବଂଶୀଧର ପାଣି ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସର୍ବେଶ୍ୱର ବିଶ୍ୱାଳ କହିଛନ୍ତି, ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ସରକାରୀସ୍ତରରେ ହୋଇଛି। ଏଥିରେ ଆମେ କିଛି କରିପାରିବୁ ନାହିଁ।