ଶିକାରୀଙ୍କୁ ସୁହାଉଛି ଲକ୍‌ଡାଉନ

ସଜନାଗଡ, ୧୮ା୪(ଡି.ଏନ.ଏ.)- କରୋନା ସଂକ୍ରମଣକୁ ରୋକିବା ଲାଗି ଲକଡାଉନ ଜାରି ରହିଥିବା ବେଳେ ଏହାର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଏହି ଲକ୍‌ଡାଉନ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଅନୁକୂଳ ସମୟ ପାଲଟିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରେ। ମାର୍ଚ୍ଚ ୧ତାରିଖଠାରୁ ଏଯାଏ ୫ରୁ ଊର୍ଦ୍ଧ୍ୱ ଶିକାରୀ ଗିରଫ ହେଲେଣି। ଶୁକ୍ରବାର କୁଲଡିହା ଅଭୟାରଣ୍ୟର ପାଦଦେଶ ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆ ଗ୍ରାମର ମଧୁ ସିଂ ଏବଂ ତାଙ୍କର କେତେକ ସହଯୋଗୀ କୁଲଡିହା ଅଭୟାରଣ୍ୟରେ ଏକ କୁଟୁରାକୁ ଶିକାର କରି ଆଣି ମାଂସ ଭାଗ କରୁଥିବା ବେଳେ କୁଲଡିହା ବନବିଭାଗ ଖବର ପାଇ ଚଢାଉ କରିଥିଲା। ପଞ୍ଚୁଲିଙ୍ଗେଶ୍ୱର ଅଧୀନ କଣ୍ଟାବଣିଆର ମଧୁ ସିଂଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟ ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି। ମଧୁ ସିଂଙ୍କ ନିକଟରୁ କୁଟୁରା ମାଂସ, ମୁଣ୍ଡ, ଚମଡା ସମେତ ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ଏକ ମାମଲା (ନଂ.୪/୨୦୨୦) ରୁଜୁ କରାଯାଇଛି। ଚଢାଉରେ କୁଲଡିହାର ରେଞ୍ଜର ବିଜୟ ମହାପାତ୍ର, ପଞ୍ଚୁଲିଙ୍ଗେଶ୍ୱରର ରାମେଶ୍ୱର ମୁର୍ମୁ, ଜୋଡାଚୁଆର ଫରେଷ୍ଟର ପରମାନନ୍ଦ ନାୟକ, ଝରଣାଘାଟିର ଫରେଷ୍ଟର ସୌମ୍ୟରଞ୍ଜନ ମାଝି, ସନ୍ତରାଗଡିଆ ଫରେଷ୍ଟଗାର୍ଡ ଜ୍ୟୋତ୍ସ୍ନା ଦତ୍ତ ଏବଂ ସବୁଜ ବାହିନୀର କର୍ମକର୍ତ୍ତା ଉପସ୍ଥିତ ଥିଲେ।