ଶାହରୁଖଙ୍କୁ ପ୍ରଶଂସକଙ୍କ ଧମକ

ମୁମ୍ବାଇ: କିଛି ଦିନ ହେବ ବଡ଼ ପରାଦାରୁ ଦୂରେଇ ରହିଛନ୍ତି ବଲିଉଡ୍‌ ବାଦଶାହ। ଶେଷଥର ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟଙ୍କ ଫିଲ୍ମ ‘ଜିରୋ’ରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଏବେ ପର୍ଯ୍ୟନ୍ତ ଶାହରୁଖ ଖାଁଙ୍କର କୌଣସି ନୂଆ ପ୍ରୋଜେକ୍ଟ ଆସିନାହିଁ। ବହୁ ଦିନରୁ ବଡ଼ ପରାଦାରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା ରହିଥିବା ପ୍ରଶଂସକଙ୍କ ଏବେ ଧୈର୍ଯ୍ୟ ଭାଙ୍ଗିଯାଇଛି। ଯଦି ଶାହରୁଖ ଆସନ୍ତା ବର୍ଷରେ ନିଜର ଫିଲ୍ମକୁ ନେଇ କିଛି ଘୋଷଣା ନ କରନ୍ତି ତେବେ ତାଙ୍କ ପ୍ରଶଂସକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ନିକଟରେ ଶାହରୁଖ କିଛି ଫିଲ୍ମ ସାଇନ୍‌ କରିଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ଏବେ ପର୍ଯ୍ୟନ୍ତ ଏହା ଔପଚାରିକ ଭାବେ ଘୋଷଣା କରାଯାଇନାହିଁ। ଗତ ନଭେମ୍ବର ୨ରେ ଶାହରୁଖଙ୍କ ନିଜ ଜନ୍ମଦିନ ପାଳିଥିଲେ। ଏହି ଅବସରରେ ସେ ନୂଆ ପ୍ରୋଜେକ୍ଟ ନେଇ ଘୋଷଣା କରିବେ ବୋଲି ପ୍ରଂଶସକ ଆଶା କରିଥିଲେ। କିନ୍ତୁ ଏଭଳି କିଛି ହୋଇ ନ ଥିଲା। ତେବେ ଏହାକୁ ନେଇ ଅପେକ୍ଷାରତ ଥିବା ପ୍ରଶଂସକମାନଙ୍କ କିଛି ଟୁଇଟ ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି। ହାସଟ୍ୟାଗ କରି ଖୁବ୍‌ଶୀଘ୍ର ନିଜ ଫିଲ୍ମକୁ ନେଇ ଘୋଷଣା କରନ୍ତୁ ବୋଲି କିଛି ପ୍ରଶଂସକ ଶାହାରୁଖଙ୍କୁ ନିବେଦନ କରିଛନ୍ତି। ସୂଚନା ମୁତାବକ ଫିଲ୍ମ ଜିରୋରେ ଶାହରୁଖ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷଷର ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହି ଫିଲ୍ମ ବକ୍ସ ଅଫିସରେ କିଛି ଭଲ ବ୍ୟବସାୟ କରିପାରି ନ ଥିଲା। ସେହି ଦିନଠାରୁ ଶାହରୁଖ ଫିଲ୍ମରୁ ବିରତି ନେଇଛନ୍ତି।

Share