ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୫ା୫(ଡି.ଏନ.ଏ.)- ଆଉ ଶାଳରେ ଶୁଭୁନି କଂସା ବାସନ ତିଆରିର ଶବ୍ଦ। ନା ପହଞ୍ଚି ପାରୁଛି କଞ୍ଚାମାଲ ନା ବିକ୍ରି ହୋଇ ପାରୁଛି ପୂର୍ବ ତିଆରି ସାମଗ୍ରୀ। କୌଳିକ ବୃତ୍ତିକୁ ଆପଣାଇ ଦୁଇ ପଇସା ରୋଜଗାର କରୁଥିବା କାରିଗରଙ୍କ ଦୁର୍ଦ୍ଦିନ ସରିବାର ନାଁ ଧରୁନି। ପୂର୍ବରୁ ବିଭିନ୍ନ କାରଣରୁ ବ୍ୟବସାୟ କମିଥିବାବେଳେ ଏବେ କରୋନା କଟକଣା ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। କଂସା ବାସନ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର କାରିଗର ଏବେ ପେଟ ପୋଷିବାକୁ ସଂଘର୍ଷ କରୁଥିବାବେଳେ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି।
ଢେଙ୍କାନାଳ ଜିଲା ଭୁବନ ଗ୍ରାମରେ ୩ ଶହରୁ ଊର୍ଦ୍ଧ୍ୱ କଂସାରୀ ପରିବାର ବସବାସ କରନ୍ତି। କଂସା ପିତ୍ତଳ ବାସନ ତିଆରି କରିବା ପାଇଁ ପୂର୍ବରୁ ୫୦ଟି ଶାଳ ଥିବାବେଳେ ଦିନକୁ ଦିନ ଏହା ହ୍ରାସ ପାଇ ଏବେ ୧୦ରେ ପହଞ୍ଚିଲାଣି। ଭୁବନରେ ୧୨ଟି କଂସା ବାସନ ଦୋକାନ ବନ୍ଦ ହୋଇଯିବାରୁ କଞ୍ଚାମାଲ ଅଭାବ ଦେଖାଦେଇଛି। ଦରଦାମ ବୃଦ୍ଧି, ଚାହିଦା କମିବା, କଞ୍ଚାମାଲ ଆସି ପାରୁ ନ ଥିବାରୁ କାରିଗରଙ୍କ ସମସ୍ୟା ବଢିବାରେ ଲାଗିଛି। ସରକାର ଜିଏସଟି ଲାଗୁ କରିବା ପରଠାରୁ ଆବଶ୍ୟକ ମୁତାବକ କଞ୍ଚାମାଲ ଆସିପାରୁ ନ ଥିବା କାରିଗରମାନେ ଅଭିଯୋଗ ଆଣିଛନ୍ତି। ଏହାପରେ ଯାହା ଯେମିତି କଷ୍ଟେ ମଷ୍ଟେ ବ୍ୟବସାୟ ଚାଲିଥିଲା କରୋନା ପାଇଁ ସେତକ ବି ବନ୍ଦ ହୋଇଯାଇଛି। ବିବାହ, ବ୍ରତଘର, ବିଭିନ୍ନ ପର୍ବପର୍ବାଣୀରେ କାରିଗରଙ୍କ ହାତ ଚାଲୁଥିବାବେଳେ ଏବେ ସବୁ ପ୍ରକାର ଉତ୍ସବ ଯାତ୍ରା ପାଇଁ କଟକଣା ଲାଗିଛି। ଏଥିଯୋଗୁ କଂସା କାରିଗର ମଧ୍ୟ ହାତ ବାନ୍ଧି ବସିଛନ୍ତି। ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ସମସ୍ୟା ସୁଧାରିବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏ ସମ୍ପର୍କରେ କଂସା କାରିଗର ନଟବର ସାହୁ କୁହନ୍ତି, ସେମାନଙ୍କ ସମ୍ପ୍ରଦାୟ, କାରିଗରୀ ଯୋଗୁ ସ୍ବତନ୍ତ୍ର ପରିଚୟ ମିଳିଥିଲେ ମଧ୍ୟ ସମସ୍ତଙ୍କ ଅଣଦେଖା ପାଇଁ ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଜିଏସଟି କାରଣରୁ କଂସା କାମ କମି ଯାଇଥିଲା। ଏବେ କରୋନା ଯୋଗୁ ଶାଳରେ ତାଲା ପଡିଛି। ଫଳରେ ଦିନକୁ ଦୁଇମୁଠା ଦାନା ଯୋଗାଡ କରିବା କଷ୍ଟକର ହୋଇପଡିଛି। କାରିଗର ମାୟାଧର ସାହୁ କୁହନ୍ତି, କରୋନା ଲକଡାଉନ ଯୋଗୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କଞ୍ଚାମାଲ ଅଭାବ ସାଙ୍ଗକୁ ମାଲିକମାନେ କାମ ବନ୍ଦ କରିଦେଇଛନ୍ତି। ଲକଡାଉନରେ ଲୋକେ କିଣା ବିକା ବି କରୁନାହାନ୍ତି। ବାସନ ମରାମତି କରି ଯାହା ଯେତିକି ପାରିଶ୍ରମିକ ମିଳୁଛି। ସରକାର ଏହି ଦୁର୍ଦ୍ଦିନରେ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।