Categories: ଜାତୀୟ

ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ୩ମାସର ଝିଅ

ଚଣ୍ଡିଗଡ଼,୧୭।୧: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲାର ଉରି ସେକ୍ଟରରେ ମୁତୟନ ହୋଇଥିବା ୪୫ରାଷ୍ଟ୍ରୀୟ ରାଇଫଲ ଗ୍ରେନେଡିୟର ରଣଜୀତ ସିଂହ ଶହୀଦ ହୋଇଛନ୍ତି। ନିକଟରେ ବରଫ ଝଡ଼ରେ ଚାପି ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ତାଙ୍କର ମର ଶରୀର ଗୁରୁଦାସପୁରସ୍ଥିତ ଦିନାନଗର କସବେର ସିଦ୍ଧପୁର ଗାଁରେ ପହଞ୍ଚିଥିଲା। ଶହୀଦଙ୍କ ମର ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିଲା। ତାଙ୍କ ଅନ୍ତିମ ଦର୍ଶନ ପାଇଁ ଗାଁଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇଥିଲା। ଶହୀଦଙ୍କ ୩ମାସର ଝିଅ ପିତାଙ୍କୁ ମୁଖାଗ୍ନି ଦେବା ବେଳେ ସେଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ପିତା କ’ଣ ବୁଝିବା ପୂର୍ବରୁ ୩ ମାସ ଝିଅର ମୁଖାଗ୍ନି ଦେବାର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା।

ଅପରପକ୍ଷେ ଶହୀଦଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଡେପୁଟି କମିଶନର କହିଛନ୍ତି। ସେହିପରି ପଞ୍ଜାବ ସରକାର ମଧ୍ୟ ସହାୟତା ଯୋଗାଇ ଦେବା ସହ ଶହୀଦ ରଣଜୀତ ସିଂହଙ୍କ ଏକ ସ୍ମାରକ ତିଆରି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଶହୀଦ ରଣଜୀତ ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କ ପରିବାରର ପ୍ରତିପୋଷଣ ପାଇଁ ତାଙ୍କ ଘରର ଜଣଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ତାଙ୍କ ବାପା ନିବେଦନ କରିଛନ୍ତି।

Share