Categories: ଜାତୀୟ

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର

ଭୋପାଳ,୧୬।୮: ମଧ୍ୟପ୍ରଦେଶ ଦେପାଲପୁରର ପିର ପିପଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା ହାବିଲଦାର ମୋହନ ସିଂ ସୁନେର ବିଏସ୍‌ଏଫ୍‌ ଯବାନ ଭାବେ ତ୍ରିପୁରାରେ କାର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀ ଆକ୍ରମଣରେ ସେ ଶହୀଦ ହୋଇଯାଇଥିଲେ। ମାତ୍ର ୨୭ ବର୍ଷ ବୟସରେ ଶହୀଦ ହୋଇଥିବା ମୋହନଙ୍କ ପରିବାର ଗାଁରେ ଅତି ଦୁଃଖକଷ୍ଟରେ ସମୟ କାଟୁଥିଲେ। ଏମିତିକି ସେମାନଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡେ ନ ଥିଲା କି ଖାାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନ ଥିଲା। ଏଥିପାଇଁ ପରିବାର ଲୋକେ ମଜୁରୀ ଲାଗି ପେଟ ପୋଷୁଥିଲେ। ଶହୀଦ ପରିବାରଙ୍କ ଏପରି ଅବସ୍ଥା ଦେଖି ଗାଁ ଲୋକେ ଚାନ୍ଦା କରି ପାଖାପାଖି ୧୧ ଲକ୍ଷ ଟଙ୍କା ଯୋଗାଡ କରିବା ପରେ ଏବେ ମୋହନଙ୍କ ପରିବାର ପାଇଁ ଏକ ସୁନ୍ଦର ଘର ତିଆରି କରିଦେଇଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଗାଁର ଯୁବକମାନେ ମିଶି ମୋହନଙ୍କ ସ୍ତ୍ରୀଙ୍କୁ ଘରର ଚାବି ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଗୁରୁବାର ରାଖୀ ପୂର୍ଣ୍ଣିମା ଦିନ ଗୃହ ପ୍ରବେଶ ସମୟରେ ଗାଁର ଯୁବକଙ୍କ ହାତ ଉପରେ ଚଢି ଶହୀଦଙ୍କ ସ୍ତ୍ରୀ ଗୃହ ପ୍ରବେଶ କରାଇଛନ୍ତି। ଆଉ ସେତେବେଳେର ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଗାମୀ ଦିନରେ ଗାଁରେ ଶହୀଦ ମୋହନଙ୍କର ଏକ ପ୍ରତିମୂର୍ତ୍ତି ସହ ଗାଁ ସ୍କୁଲକୁ ତାଙ୍କ ନାମରେ ନାମିତ କରିବାର ଯୋଜନା ରଖିଛନ୍ତି ଗ୍ରାମବାସୀ।

Share