Categories: ଜାତୀୟ

ଏଥର ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେବ ଟେଲିଫୋନ୍‌ ସେବା

ଶ୍ରୀନଗର,୧୬।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ କେତେଗୁଡିଏ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ଶୁକ୍ରବାର ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ବିଭିଆର୍‌ ସୁବ୍ରମଣ୍ୟମ କହିଛନ୍ତି, ଏବେ ସେଠାରେ ସୁରକ୍ଷା ବ୍ୟବସ୍ଥା ସହ ପାଣି, ବିଜୁଳି ଓ ମେଡିକାଲ ସୁବିଧା ଦିଆଯାଉଛି। ଆସନ୍ତା ସୋମବାରଠାରୁ ସବୁ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଖୋଲି ଦିଆଯିବ। ପରିସ୍ଥିତିକୁ ଦେଖିଲେ ଏପର୍ଯ୍ୟନ୍ତ ସେଠାରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ କେହି ଆହତ ମଧ୍ୟ ହୋଇ ନାହାଁନ୍ତି। ତେଣୁ ଏବେ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଯେଉଁ ସବୁ ପ୍ରତିବନ୍ଧକ ଲଗାଯାଇଥିଲା ସେଥିରେ କୋହଳ କରାଯିବ ବୋଲି କହିଛନ୍ତି ସୁବ୍ରମଣ୍ୟମ୍‌। ପର୍ଯ୍ୟାୟକ୍ରମେ ଧୀରେ ଧିୀରେ ଟେଲିଫୋନ୍‌ ଲାଇନ୍‌ ଖୋଲି ଦିଆଯିବ ବୋଲି ସେ କହିଛନ୍ତି। ହେଲେ ଇଣ୍ଟରନେଟ୍‌ ସେବାକୁ ନେଇ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ସେ କହିଛନ୍ତି। ଆହୁରି ମଧ୍ୟ ୨୨ ଜିଲା ମଧ୍ୟରୁ ୧୨ଟିରେ ସ୍ଥିତି ସ୍ବାଭାବିକ ରହିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ସମ୍ଭାବ୍ୟ ଆକ୍ରମଣକୁ ଦେଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ କେତେଗୁଡିଏ ପ୍ରତିବନ୍ଧକ ଲଗାଯାଇଥିଲା।

Share