ଲୋକଙ୍କ କାମରେ ଲାଗୁନି ଶିଶୁ ପାର୍କ: ଜିଲାପାଳଙ୍କୁ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଦାବିପତ୍ର

ଆନନ୍ଦପୁର,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରବାସୀଙ୍କ ଦୀର୍ଘ ଦିନର ଦାବି ପରେ ବିଆର୍‌ଜିଏଫ୍‌ (ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି) ଯୋଜନାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ଶିଶୁ ପାର୍କ ନିର୍ମାଣ କରାଯାଇଥିଲା। ଏହି ପାର୍କ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଆନନ୍ଦପୁର ପୌରପରିଷଦ ପକ୍ଷରୁ ଉଦ୍‌ଘାଟନ କରାଯାଇଥିଲା। ହେଲେ ଅଦ୍ୟାବଧି ଏହି ପାର୍କ ବ୍ୟବହାର ନିମନ୍ତେ ଖୋଲାଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଶିଶୁ ପାର୍କରେ ହୋଇଥିବା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ପାର୍କ ଖୋଲାଯିବା ସହ ଏହାର ନିର୍ମାଣ କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ ଦାବିରେ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ବୁଧବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏ ନେଇ ଆଗାମୀ ୧୫ ଦିନ ମଧ୍ୟରେ ପ୍ରଶାସନ ଉଚିତ୍‌ ପଦକ୍ଷେପ ଗ୍ରହଣ ନ କଲେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆନନ୍ଦପୁର ପ୍ରେସ୍‌ କ୍ଲବ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଏଥିରେ କ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ, ସମ୍ପାଦକ ସନ୍ତୋଷ କୁମାର ରାଉତ, ବରିଷ୍ଠ ଖବରଦାତା ସୁବାସ ମହାପାତ୍ର, ନାରାୟଣ ପଣ୍ଡା, ଲୋକନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।