Categories: ଜାତୀୟ

ଲେଜର ଲାଇଟ୍‌ରେ ଦୀପାବଳି ପାଳିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୧୦:ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏମିତିକି ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜଧାନୀରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ କହିଛନ୍ତି। ଏଥିପାଇଁ ଦିଲ୍ଲୀର କନଟ ପ୍ଲେସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୬ ତାରିଖ ଦୀପାବଳିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏଠାରେ ଦୀପାବଳି ପାଳନ କରାଯିବ। ହେଲେ ଏଥିରେ ବାଣ ଫୁଟିବନି କି ମହମବତୀ ଜଳିବନି। କେବଳ ଲେଜର ଲାଇଟ୍‌ ମାଧ୍ୟମରେ ଏହି ଦୀପାବଳି ପାଳନ କରାଯିବ। ଏହାସହ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାର ଖାଦ୍ୟର ମଜା ଲୋକେ ଉଠାଇ ପାରିବେ ବୋଲି ସେ କହିଛନ୍ତି। ଏଥିରେ ଭାଗ ନେବାକୁ ସେ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।

Share