ଲୁଣ କଳାବଜାର ଉପରେ ଚଢାଉ କଲେ ତହସିଲଦାର ଗୋଟିଏ ଦୋକାନ ସିଲ୍‌,ମାଲିକ ଥାନାରେ ଅଟକ

କାଲିମେଳା,୨୧ା୫(ଡି.ଏନ.ଏ.)-ମାଲାକନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଲୁଣ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଗୁରୁବାର କାଲିମେଳାରେ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ବଜାରରେ ଚଢାଉ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ତହସିଲଦାର ଅନୁଗୁଲିଆଙ୍କ ନେତୃତ୍ୱରେ ଆରଆଇ ସୁରେଶ ପୁଜାରୀ ବେଜାଙ୍ଗିବାଡାର ଜୟକୃଷ୍ଣ ସାହୁ ଏବଂ ମାଲକାନଗିରି ଯୋଗାଣ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ କିରାନା ଦୋକାନ ଉପରେ ଚଢାଉ କରାଯାଇଥିଲା। ଲୁଣ କେଜିପ୍ରତି ୧୦ ଟଙ୍କା ଦାମ ଥିବାବେଳେ କେତେକ ବ୍ୟବସାୟୀ ଏହାକୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରୁଥିଲେ। ଦୋକାନଗୁଡିକ ଯାଞ୍ଚ କରାଯିବା ସହ ଚଢା ଦରରେ ଲୁଣ ବିକ୍ରି କରୁଥିବା ଦୋକାନକୁ ସିଲ କରାଯାଇଥିଲା। ବଜାରରେ ଥିବା ପି.ପ୍ରଶାଦ ରାଓ ଙ୍କ ଦୋକାନକୁ ସିଲ୍‌ କରାଯିବା ସହ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଏଥିସହ କାଲିମେଳା ଅଞ୍ଚଳର କେତେକ ଗୋଦାମ ଉପରେ ମଧ୍ୟ ଚଢାଉ କରାଯାଇଥିବା ଜଣାପଡିଛି। କେବଳ ଲୁଣ ନୁହେଁ ଯେ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀର କାଳାବାଜାର ହେଉଥିବା ଜଣାପଡିଲେ ଚଢାଉ ହେବ ବୋଲି ତହସିଲଦାର କହିଛନ୍ତି।