ଲାଞ୍ଚ ମାମଲାର ଖୋଳତାଡ଼: ସମ୍ପତ୍ତି ବିବରଣୀ ଦେଇନାହାନ୍ତି ବିଜୟ କେତନ

କଟକ ଅଫିସ,୧୮।୫: ଏକଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ପରେ ଜାମିନରେ ମୁକୁଳିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ସମ୍ପତ୍ତି ବିବରଣୀର ଖୋଳତାଡ଼ କରୁଛି ଭିଜିଲାନ୍ସ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବାବେଳେ ବିଜୟ ନିଜ ସମ୍ପତ୍ତି ନେଇ କେଉଁ ସବୁ ତଥ୍ୟ ବିଭାଗକୁ ଦେଇଛନ୍ତି, ତାହା ଜଣାଇବାକୁ ଭିଜିଲାନ୍ସ ଚିଠି କରିଥିଲା। ଏହାର ଜବାବରେ ବିଭାଗ କହିଛି, ସମ୍ପତ୍ତି ବିବରଣୀ ନେଇ ବିଜୟ କୌଣସି ପ୍ରକାର ତଥ୍ୟ ଦେଇନାହାନ୍ତି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୧ରେ ଭିଜିଲାନ୍ସ ଉଦ୍ୟାନ କୃଷି ବିଭାଗକୁ ଚିଠି କରିଥିଲା। ବିଜୟ କେତନ ଓ ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ବିବରଣୀ, ସ୍ତ୍ରୀଙ୍କ ପେସା ସମ୍ପର୍କରେ ଏଥିରେ ତଥ୍ୟ ମଗାଯାଇଥିଲା। ଜବାବରେ ବିଭାଗ ସୂଚନା ଦେଇଛି ଯେ, ବିଜୟ ୨୦୧୮ ଅଗଷ୍ଟ ୨୦ରୁ ୨୦୧୯ ଡିସେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହି ସମୟ ଭିତରେ ତାଙ୍କର ମୂଳ ଦରମା ୧୭ ଲକ୍ଷ ୬୦ ହଜାର ୯୩୫ ଟଙ୍କା ହେଉଥିବା ବେଳେ ସେଥିରୁ ସେ ପାଇଥିଲେ (ନେଟ୍‌ ଦରମା) ୧୪ ଲକ୍ଷ ୩୫ ହଜାର ୮୩୦ ଟଙ୍କା। କାର୍ଯ୍ୟକାଳ ଭିତରେ ସେ ଆଡଭାନ୍ସରେ ଜିପିଏଫ୍‌ରୁ ଟଙ୍କା ନେଇନାହାନ୍ତି କିମ୍ବା କୌଣସି ପ୍ରକାର ଋଣ କରିନାହାନ୍ତି। କୌଣସି ପ୍ରକାର ସ୍ଥାବର ସମ୍ପତ୍ତି କିଣିବା ପାଇଁ ମଧ୍ୟ ବିଭାଗୀୟ ଅନୁମତି ନେଇନାହାନ୍ତି। ଏପରି କି ସେ ନିଜର ସମ୍ପତ୍ତି ବିବରଣୀ ବିଭାଗ ପାଖରେ ଦାଖଲ କରିନାହାନ୍ତି। ତାଙ୍କ ସ୍ତ୍ରୀ ଘରୋଇ ବ୍ୟବସାୟରେ ଥିବା ନେଇ ସେ ବିଭାଗକୁ କୌଣସି ପ୍ରକାର ଅବଗତ କରିନାହାନ୍ତି। ୨୦୧୮ ଅଗଷ୍ଟରେ ତାଙ୍କର ମାସିକ ମୂଳ ଦରମା ୭୬ ହଜାର ୬୫୮ ଟଙ୍କା ଥିଲା। ସେପ୍ଟେମ୍ବରରୁ ତାଙ୍କ ମୂଳ ଦରମା ବଢ଼ି ୯୧ ହଜାର ୪ଶହ ଟଙ୍କା ହୋଇଥିଲା ବୋଲି ଭିଜିଲାନ୍ସକୁ ତଥ୍ୟ ଦେଇଛି ଉଦ୍ୟାନ କୃଷି ବିଭାଗ। ଉଲ୍ଲେଖଯୋଗ୍ୟ, ଲାଞ୍ଚ ନେଉଥିବା ଅଭିଯୋଗରେ ବିଜୟ କେତନଙ୍କୁ ଗତ ଡିସେମ୍ବର ୩୦ରେ ଭିଜିଲାନ୍ସ ଗିରଫ କରିଥିଲା। ଖୋଳତାଡ଼ ବେଳେ ୨୦୧୨ରୁ ୨୦୧୯ ମଧ୍ୟରେ ୩ଟି ବ୍ୟାଙ୍କରେ ୭୦ ଲକ୍ଷ ଟଙ୍କା ଉପାଧ୍ୟାୟଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଥିଲା। ସେଥିରୁ ୨୨ ଲକ୍ଷ ଟଙ୍କା ଉପାଧ୍ୟାୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଜମା ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜାଣିବାକୁ ପାଇଥିଲା।