ଲାଞ୍ଚ ନେବା ମାମଲା: ଜେଲ୍‌ଗଲେ ବନରକ୍ଷୀ, ରାତ୍ରି ଜଗୁଆଳ

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ସୋରଡ଼ା ବନାଞ୍ଚଳ ଅଧୀନ ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଏକ ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ି ଗିରଫ ହୋଇଥିଲେ। ଏଥିରେ ସମ୍ପୃକ୍ତ ଥିବା ରାତ୍ରି ଜଗୁଆଳ ଗଣେଶ ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କୁ ଗୁରୁବାର ଭିଜିଲାନ୍ସ କେସ୍‌ ନମ୍ବର ୬/୨୦ ଅନୁସାରେ କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ, ସୋରଡ଼ା ଥାନା ଅନ୍ତର୍ଗତ ଢାଉଗାଁର ଗାଙ୍ଗନା ମଣ୍ଡଳଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଥିଲା। ସେଠାରେ ଗାଙ୍ଗନା ଓ ତାଙ୍କ ସ୍ତ୍ରୀ ରୀନା କିଛି କାଜୁଗଛ ଲଗାଇଥିଲେ। କାଜୁ ଗଛଗୁଡ଼ିକର ସୁରକ୍ଷା ଓ ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ସେମାନେ ନିଜର ପଟ୍ଟା ଜମିକୁ ଲାଗିଥିବା କିଛି ସରକାରୀ କିଛି ଗଛ କାଟି ସଫା କରିଦେଇଥିଲେ। ଫଳରେ ବନରକ୍ଷୀ ବିଷ୍ଣୁପ୍ରିୟା ଗାଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିବାକୁ ଚେତାବନୀ ଦେଇଥିଲେ। ୧୦ ହଜାର ଟଙ୍କା ଲାଞ୍ଚ ଦେଲେ ମାମଲା ରଫାଦଫା କରିବାକୁ ଗାଙ୍ଗନାକୁ ବନରକ୍ଷୀ ଦାଶ କହିଥିଲେ ବୋଲି ସେ ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବିକ ଗାଙ୍ଗନା ବନରକ୍ଷୀ ବିଷ୍ଣୁପ୍ରିୟାଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ବନରକ୍ଷୀ ଅଭିଯୋଗକାରୀଙ୍କଠାରୁ ଉକ୍ତ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ।