ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧଳାପଥର ଏଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୧ା୭ : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଧଳାପଥର ଏଏସ୍‌ଆଇ ଅଶୋକ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ଘଟଣାରେ ରଫାଦଫା ଲାଗି ସେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ପ୍ରକାଶ ଯେ, ସାନନୂଆପଲ୍ଲୀ ଗ୍ରାମର ଆଶିଷ କୁମାର ପଣ୍ଡାଙ୍କ ବିରୋଧରେ ଏକ ଜମିଜମା ଘଟଣାରେ ବେଗୁନିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କୁ ଗିରଫ ନ କରିବା ଏବଂ କୋହଳ ଦଫା ଲଗାଇବା ଲାଗି ଏଏସ୍‌ଆଇ ପଣ୍ଡା ତାଙ୍କୁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ସେ ୨୦ ହଜାର ଟଙ୍କା ନେବାକୁ ରାଜି ହୋଇଥିଲେ। ଏ ନେଇ ଆଶିଷ ଖୋର୍ଦ୍ଧା ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଯୋଜନା ମୁତାବକ ଧଳାପଥର ଫାଣ୍ଡି ନିକଟରେ ଛକି ରହିଥିଲେ। ଏଏସ୍‌ଆଇ ପଣ୍ଡା ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁକରି ଭୁବନେଶ୍ୱର ନେଇଯାଇଛି। ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।