Categories: କନ୍ଧମାଳ

ଲାଗିଲା ସଚେତନତା ପୋଷ୍ଟର, ବୁଲିଲା ପ୍ରଚାର ଗାଡ଼ି

ଫୁଲବାଣୀ ଅଫିସ୍‌,୨ା୨-ଫୁଲବାଣୀରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ବାହାରିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଉଠିଛି। ରବିବାର ଜିଲାର ବିଭିନ୍ନ ସ୍ଥାନରେ କରୋନା ରୋଗର ଲକ୍ଷଣ, ଏହାର ନିରାକରଣ ଉପରେ ସଚେତନତା ପୋଷ୍ଟର ଲଗାଯାଇଛି। ଏଥିସହ ପ୍ରଚାର ଗାଡି ମଧ୍ୟ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ କରୋନା ରୋଗ ଓ ଏହାର ନିରାକରଣ ଉପରେ ସତର୍କ କରିଛି। ଗ୍ରାମାଞ୍ଚଳରେ ଆଶା ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ପ୍ରଚାର ପତ୍ର ବାଣ୍ଟି ଲୋକଙ୍କୁ ସଚେତନ କରୁଛନ୍ତି ବୋଲି ସିଡିଏମ୍‌ଓ ଡ. ରାଜଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଶନିବାର ରାତିରେ କଟକ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ପରୀକ୍ଷା କରାଯିବ। ଯଦି ରିପୋର୍ଟ ପଜିଟିଭ୍‌ ଆସେ ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କର ମଧ୍ୟ ପରୀକ୍ଷା କରାଯିବ ବୋଲି ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି। ଏନେଇ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ଛାତ୍ର ଚାଇନାର ସିଚୁଆନ ସ୍ଥିତ ସାଉଥ୍‌ ୱେଷ୍ଟ ମେଡିକାଲ ୟୁନିଭର୍ସିଟିରେ ୪ର୍ଥ ବର୍ଷ ଏମ୍‌ବିବିଏସ ଛାତ୍ର। ଗତ ଜାନୁୟାରୀ ୧୧ରେ ଫୁଲବାଣୀ ଫେରିଥିଲେ। ପ୍ରାୟ ସପ୍ତାହେ ହେଲା ତାଙ୍କୁ କାଶଶର୍ଦ୍ଦି ଲାଗି ରହିଥିଲା। କରୋନା ହୋଇଥିବା ସନ୍ଦେହରେ ଶନିବାର ଫୁଲବାଣୀ ଜିଲା ମୁଖ୍ୟ ଡାକ୍ତରଖାନାକୁ ପରୀକ୍ଷା ପାଇଁ ଆସିଥିଲେ। ଏଠାରେ କରୋନା ଭୂତାଣୁ ପରୀକ୍ଷା ପାଇଁ ବ୍ୟବସ୍ଥା ନ ଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।