ଲାଗିଲା କଟକଣା, ପର୍ଯ୍ୟଟନସ୍ଥଳୀ ଶୂନଶାନ୍‌

ଭୋଗରାଇ, ୨୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମନ୍ଦିର ଓ ହାଟବଜାର ଉପରେ କଟକଣା ଲାଗୁ କରିଛନ୍ତି। ଓଡ଼ିଶାର ଅନ୍ୟତମ ଶୈବପୀଠ ଚନ୍ଦନେଶ୍ୱର, ଏସିଆର ସର୍ବବୃହତ୍‌ ଶିବଲିଙ୍ଗ ଭୂଷଣ୍ଡେଶ୍ୱର, ମା’ ବାଶୂଳୀ ପୀଠରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏହି ତିନି ମନ୍ଦିରରେ କତିପୟ ସେବାୟତ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁ କିମ୍ବା ପର୍ଯ୍ୟଟକମାନଙ୍କୁ ମନ୍ଦିର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏତଦ୍‌ଭିନ୍ନ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଖଡ଼ିବିଲର ଇକୋଟୁରିଜିମ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଇଛି। ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକମାନେ ଯାଉ ନ ଥିବାରୁ ଦୋକାନୀମାନଙ୍କ ପେଟପାଟଣା ଉପରେ ପ୍ରଭାବ ପଡ଼ିଛି। ଦୋକାନୀମାନେ ଦୋକାନ ବନ୍ଦ କରି ଘରେ ହାତବାନ୍ଧି ବସିଛନ୍ତି। ସବୁଠି ଶୂନଶାନ୍‌ ଦିଶୁଥିବା ବେଳେ କେବଳ ପୋଲିସ ଓ ପ୍ରଶାସନର କର୍ମଚାରୀମାନେ ପଇଁତରା ମାରୁଛନ୍ତି। ଭୋଗାଇର ଦେଉଳା, ଶ୍ରଦ୍ଧାପୁର, ଶଙ୍ଖାରୀ, ଜୟରାମପୁର, ଭୋଗରାଇ, ଚୌକି, ଚଟାଣଛକ, ବାଉଁଶଡ଼ିହା, କମର୍ଦ୍ଦା ଆଦି ଗାଁ ହାଟଗୁଡ଼ିକରେ ଭିଡ଼ ନ ଜମାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଓ ସଚେତନତା କରାଯାଇଛି।