ଲମ୍ବା ରେସ୍‌ର ଘୋଡ଼ା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନାକଳସ ଢାଳିବା। ଦେଖୁନାହାନ୍ତି, ଜଲିଉଡ୍‌ରେ ପାଦ ଦେଉ ଦେଉ ସେ କେମିତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ପୁଣି ଆରମ୍ଭରୁ ତାଙ୍କୁ ମିଳିଛି ନେଗେଟିଭ ଭୂମିକା। କେବଳ ସେତିକି ନୁହେଁ, ନିଜର ଡେବ୍ୟୁ ରୋଲ୍‌କୁ ସେ ଏମିତି ତୁଲାଇଛନ୍ତି ଯେ ତାହାକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍‌ ହେବ। ଓଡ଼ିଆ ଅପେରା ଜଗତର ଏହି ଲମ୍ବା ରେସ୍‌ର ଘୋଡା ହେଲେ ସନ୍ଦୀପ କୁମାର ଦାସ। ଚଳିତ ଯାତ୍ରା ସିଜନ୍‌ରେ ତାଙ୍କୁ ବାଘାଯତୀନ ଲୋକନାଟ୍ୟରେ ଦେଖିବାକୁ ମିଳିଛି। ନିଜ କ୍ୟାରିୟର ସମ୍ପର୍କରେ ବାଲେଶ୍ୱର ଜିଲା ଖନ୍ତାପଡ଼ା ଅନ୍ତର୍ଗତ ପଦାଗଁ। ଗ୍ରାମରେ ଜନ୍ମିତ (ମା-ଗୀତାଞ୍ଜଳି ଦାସ, ବାପା-କ୍ଷିତୀଶ କୁମାର ଦାସ) ତଥା ଏମବିଏ ଡିଗ୍ରୀ ହାସଲ କରିଥିବା ସନ୍ଦୀପ କହନ୍ତି, ‘ବାଘାଯତୀନ ଲୋକନାଟ୍ୟ ଦ୍ୱାରା ଏବେ ପରିବେଷିତ ହେଉଥିବା ନାଟକ ‘ସୀତାର ଜଳୁଛି ଚିତା’ର ମୃଗେଶ ମାନସିଂ ଚରିତ୍ରରେ ମୁଁ ଅଭନୟ କରୁଛି। ରୋଲ୍‌ଟି ପାଇଁ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡିଛି, ଯାହାର ମୂଲ୍ୟ ଏବେ ମୋତେ ମିଳିଛି। ଟିଟନ ସାର୍‌ଙ୍କ ଆକ୍ଟିଂ ଇନଷ୍ଟିଚ୍ୟୁଟ୍‌ ‘ତପସ୍ୟା’ରୁ ପାସ୍‌ କରିବା ପରେ ମୋତେ ସିଧାସଳଖ ଏହି ସୁଯୋଗ ମିଳିଛି। ଏଥିପାଇଁ ଟିଟନ ସାର୍‌, ମହେଶ ସାର୍‌, ନିର୍ଦ୍ଦେଶକ ଆଶୁତୋଷ ସାର୍‌ (ମହାପାତ୍ର) ଏବଂ ଗୁରୁ ପ୍ରଣୟ ସାହୁଙ୍କ ପ୍ରେରଣାକୁ ମୁଁ କଦାପି ଭୁଲି ପାରିବି ନାହିଁ।“

Share