ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ ନୂ୍ୟନ କରୁଥିବାରୁ ସ୍ଥିତାବସ୍ଥା ବଜାୟ ରଖିବାକୁ ବେଜିଂ କହିଛି। ଅନ୍ୟପକ୍ଷରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ପଡ଼ୋଶୀ ଦେଶକୁ ନୂଆଦିଲ୍ଲୀ ପରାମର୍ଶ ଦେଇଛି।
ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‌ କହିଛନ୍ତି, ଚାଇନା ଭୂଖଣ୍ଡର ପଶ୍ଚିମ ପଟ ସୀମାରେ ଭାରତ ଅଗ୍ରସର ହେବାକୁ ବେଜିଂ ସବୁବେଳେ ବିରୋଧ କରିଆସୁଛି। ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ଭାରତର ଏକପାଖିଆ ନିଷ୍ପତ୍ତି। ଏହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ଉତ୍ତେଜନା ହ୍ରାସ କରିବା ପାଇଁ ଉଦ୍ୟମ କରନ୍ତୁ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏହାର ନିନ୍ଦା କରିବା ସହ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନ ଖେଳାଇବାକୁ କହିଛନ୍ତି। ସେହିପରି ଏହି ପ୍ରସଙ୍ଗରେ ଆମେରିକା, ବ୍ରିଟେନ, ୟୁଏଇ ଏବଂ ଶ୍ରୀଲଙ୍କା ସମେତ ଅନେକ ରାଷ୍ଟ୍ର ଭାରତ ସପକ୍ଷରେ ମତ ଦେଇଛନ୍ତି।

Share