Categories: ବାଣିଜ୍ୟ

ଲଜିଷ୍ଟିକ୍ସ ଲାଗି ସ୍ବତନ୍ତ୍ର ବିଭାଗ ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ,୨୯-୫: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ସୁବିଧା ଏବଂ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ବିଭିନ୍ନ ସରକାରୀ ଏଜେନ୍ସି ମଧ୍ୟରେ ସମନ୍ବୟ ରକ୍ଷା କରାଯାଇପାରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ଭାବେ କୌଣସି ବିଭାଗ ନାହିଁ। ଫଳରେ ସମୁଦ୍ର, ସଡ଼କ ଏବଂ ରେଲଓ୍ବେ ଦ୍ୱାରା ଭିନ୍ନ ଭିନ୍ନ ମାର୍ଗରେ ହେଉଥିବା ଆମଦାନୀ-ରପ୍ତାନି ଉପରେ ନଜର ରଖାଯାଇପାରୁନି। ସେ କହିଛନ୍ତି ଯେ, ବର୍ତ୍ତମାନ ଲଜିଷ୍ଟିକ୍ସ ବିଭାଗ ବାଣିଜ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଛି ଏବଂ ସ୍ବତନ୍ତ୍ର ସଚିବ ସ୍ତରର ଅଧିକାରୀ ଏହାର ମୁଖ୍ୟ ହୋଇଥାନ୍ତି। ସୂଚନାଥାଉ କି, ମାଲ୍‌ ପରିବହନକୁ ସୁନିଶ୍ଚିତ କରିବା, ସମୟ ବଞ୍ଚାଇବାରେ ସହାୟତା କରିବା, ରପ୍ତାନିକାରୀ ଏବଂ ଘରୋଇ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବାରେ ଲଜିଷ୍ଟିକ୍ସ ସହଯୋଗ କରିଥାଏ। ଚଳିତବର୍ଷ ଜାନୁୟାରୀରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ମଧ୍ୟ ମାଲ୍‌ ପରିବହନ ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ ସପକ୍ଷରେ ସୁପାରିସ କରିସାରିଛନ୍ତି।

Share