ଲଗାଣବର୍ଷାରେ ବିଲରେ ସଢୁଛି ପନିପରିବା: ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

ରାଇସୁଆଁ,୨୭ା୪(ଡି.ଏନ୍‌.ଏ.) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ କାଳବୈଶାଖୀ ଲଗାଣବର୍ଷା ଏବଂ କୁଆପଥର ମାଡ଼ରେ ଯୁବଚାଷୀମାନଙ୍କର ହେକ୍ଟର ହେକ୍ଟର ପନିପରିବା ନଷ୍ଟ ହୋଇଯାଇଛି। ଫଳରେ ଚାଷୀ ଘରୋଇ ସଂସ୍ଥା ଏବଂ ବ୍ୟାଙ୍କ ଋଣ ପରିଶୋଧ କରିବା ଚିନ୍ତା ଘାରିଛି। କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ଝଡ଼ତୋଫାନରେ ଚାଷୀଙ୍କ ବିଲରେ ଟମାଟର, ବାଇଗଣ, ଭେଣ୍ଡି, କାକୁଡ଼ି ଆଦି ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀ ଯୁଧିଷ୍ଠିର ମହାନ୍ତ,ମୋହନ ମହାନ୍ତ, ଫକୀର ମାଝି, ପବିତ୍ର ଟୁଡ଼ୁ, ରାଜେଶ ମାଝିଙ୍କ ପନିପରିବା ନଷ୍ଟ ହୋଇ କ୍ଷେତରେ ସଢୁଛି। ବର୍ତ୍ତମାନ କରୋନା ଭୟରେ ବଜାରକୁ ଚାଷୀମାନେ ପନିପରିବା ନେଲାବେଳେ ପୋଲିସ ଲାଠିମାଡ଼ର ଶିକାର ହେଉଥିବା କହିଛନ୍ତି। ଭୟରେ ବଜାରକୁ ଯିବା ଛାଡ଼ି ଦେଇଥିବାବେଳେ କାଳବୈଶାଖୀ ଲଗାଣବର୍ଷା ପନିପରିବାକୁ ଉଜାଡ଼ି ଦେଇଛି। ଏନେଇ ଜିଲା ପ୍ରଶାସନ ସହାୟତା ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହୋଇଛି।