ଲଖନପୁରରେ ଖୋଲିଲା ସ୍ବାବ୍‌ ସଂଗ୍ରହ କେନ୍ଦ୍ର, ୪୪ଜଣଙ୍କ ସ୍ବାବ୍‌ ସଂଗ୍ରହ ହେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାମାରୀ କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲାରେ ସମୁଦାୟ ୪ଟି ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଖୋଲା ଯାଇଛି। ଏଥିମଧ୍ୟରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ, ଲଖନପୁର, ବ୍ରଜରାଜନଗର ଓ ଲଇକେରା ରହିଛି। ଏହିସବୁ କେନ୍ଦ୍ରରେ ସ୍ବାବ ସଂଗ୍ରହ ଗତ ୨୫ତାରିଖରୁ ଆରମ୍ଭ ହୋଇଛି। ତେବେ ସ୍ବାବ ନମୁନା ପରୀକ୍ଷାପାଇଁ ପୂର୍ବରୁ ଭୁବନେଶ୍ୱର ପଠାଯାଉଥିଲା। ଏବେ ଏହିସବୁ ନମୁନା ଶୁକ୍ରବାରରୁ ବୁର୍ଲା ଭିମସାରକୁ ପଠାଯିବ ବୋଲି ଡିପିଏଚ୍‌ଓ ଡା. ଡୋଲାମଣି ପଟେଲ କହିଛନ୍ତି। ତେବେ ଲଖନପୁର ପଞ୍ଚାୟତ ନେଡାଲ ହାଇସ୍କୁଲ୍‌ରେ ସ୍ବାବ୍‌ ସଂଗ୍ରହ ପାଇଁ ଏକ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲା ଯାଇଛି। ଏଠାରେ ସ୍ବାସ୍ଥ୍ୟ କର୍ମଚାରୀ(ଏଲ୍‌ଟି) ମଜୋନ ସାଏ ଓ ସୌଭାଗ୍ୟ ପଟେଲ, ଅଶୋକ ପ୍ରଧାନ ଓ କିଶୋର ବନଛୋର ପ୍ରମୁଖ ନିୟୋଜିତ ହୋଇଛନ୍ତି। ବନ୍ଧବାହାଲ, ବେଲପାହାଡ, ଭଅଁରଖୋଲ ଓ ପିଥିଣ୍ଡା ଆଦି ସଙ୍ଗରୋଧ କେନ୍ଦ୍ରରୁ ଗାଡି ଯୋଗେ ୪୪ଜଣ ସନ୍ଦିଗ୍ଧଙ୍କୁ ଅଣାଯାଇ ସେମାନଙ୍କ ନିକଟରୁ ନମୁନା ସଂଗ୍ରହ କରାଯାଇଛି ା ଲଖନପୁର ବ୍ଲକ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ନିବେଦିତା ବାରିକ, ପିଏଚ୍‌ଇଓ ସ୍ବର୍ଣ୍ଣପ୍ରଭା ଜୁଏଡ୍‌, ବିପିଏମ୍‌ ପ୍ରମୋଦ ପ୍ରଧାନ ପ୍ରମୁଖଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।